ଆହୁରି ୨ ଦିନ ଧରି ପ୍ରବଳ ବର୍ଷା : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ଦୀପାବଳୀ ବେଳକୁ ପାଗରେ ପରିବର୍ତ୍ତନ ସମ୍ଭାବନା

1,620

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲାଗି ରହିଛି ବର୍ଷା । ବୁଧବାର ରାଜଧାନୀ ସମେତ ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ହୋଇଥିବାବେଳେ ଆଜି ମଧ୍ୟ ବର୍ଷା ଲାଗି ରହିଛି । ଆଜି ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରୁସୁଗୁଡା, ସୁନ୍ଦରଗଡ, ଦେବଗଡ , ଅନୁଗୁଳ, କେଉଁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, କଟକରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ପଶ୍ଚିମ, ଦକ୍ଷିଣ ଓ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ଆସନ୍ତାକାଲି ଅର୍ଥାତ ୨୫ ତାରିଖରେ କେଉଁଝର, ମୟୁରଭଞ୍ଜ,କଟକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର , ନୟାଗଡରେ ବର୍ଷା ହେବା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ଧାରଣ କରିଥିବାରୁ ଏଥର ଦୀପାବଳି ଫିକା ପଡିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ହେଲେ ଦୀପାବଳୀ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ଥିବା ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୨୬ ତାରିଖ ସୁଦ୍ଧା ବର୍ଷା କମିଯିବ ବୋଲି ଅନୁମାନ କରାଯାଉଛି ।