ରାଜ୍ୟରେ ବଦଳିଲା ପାଗ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ସହ ୧୫ ଜିଲ୍ଲାକୁ ବର୍ଷା ଚେତାବନୀ

3,046

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବଦଳିଛି ପାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୨ ଦିନ ଧରି ଲଘୁଚାପ ପ୍ରଭାବରୁ ରାଜ୍ୟରେ ପ୍ରବଳ ବର୍ଷିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୩ ଓ ୨୪ ତାରିଖ ପାଇଁ ଓଡିଶାର ୧୫ ଜିଲ୍ଲାକୁ ଅଂରେଜ ଆଲର୍ଟ ଜାରି ହୋଇଛି । ୨୩ ତାରିଖ ପୂର୍ବାହ୍ନରୁ ୨୪ ତାରିଖ ମଧ୍ୟାହ୍ମ ମଧ୍ୟରେ ଏହି ବର୍ଷା ହେବ ।

ଲଘୁଚାପ ପ୍ରଭାବରୁ ମାଲକାନଗିରିରୁ ଆରମ୍ଭ କରି ଗଜପତି, ଖୋର୍ଧା ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ସକାଳୁ ସକାଳୁ ରାଜଧାନୀ ଭୂବନେଶ୍ୱରରେ ପାଗ ବଦଳିଛି । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ଧାରଣ କରିଥିବାରୁ ଏଥର ଦୀପାବଳି ଫିକା ପଡିବା ଆଶଙ୍କା ସୃଷ୍ଟି ହେଲାଣି । ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି  । ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।  ରାଜ୍ୟରେ ବର୍ଷାକୁ ନେଇ କଣ କହୁଛନ୍ତି ଆଂଚଳିକ ପାଣିପାଗ ବିଭାଗ ଅଧିକାରୀ ଆସନ୍ତୁ ଦେଖିବା

ସେପଟେ ହଠାତ୍ ପାଗ ବଦଳିବା ସହିତ ବାଙ୍କୀରେ ଆରମ୍ଭ ହୋଇଯାଇଛି ବର୍ଷା । ସକାଳୁ ସକାଳୁ ବର୍ଷା ହେବା ସହିତ ପାଗ ପୁରା ବଦଳି ଯାଇଛି । ଗଜପତିରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ଏହି ସ୍ଥିତିକୁ ନେଇ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଗଜପତି ଜିଲ୍ଲାପାଳ ।