ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜଧାନୀରେ ଶୀତ ଲହରି !

65

କନକ ବ୍ୟୁରୋ : ନଭେମ୍ବର ଅଧା ଗଡ଼ି ଯାଇଥିଲେ ବି ରାଜଧାନୀବାସୀ ଶୀତ ଅନୁଭବ କରିପାରୁନଥିଲେ । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଆଜିଠାରୁ ରାଜଧାନୀରେ ଶୀତ ଲହରି ଖେଳେଇ ଦେଇଛି । ଲଗାଣ ବର୍ଷା ଓ କୋହଲା ପାଗ ଯୋଗୁଁ ଆଜି ଦିନବେଳା ବି ରାଜଧାନୀବାସୀ ଶୀତରେ ଥରୁଥିବା ଦେଖିବାକୁ ମିଳିଥିଲା । ଏପରିକି କିଛି ଦିନ ହେଲା ଭୋର୍‌ରୁ ବିଛଣାଚଦର ଘୋଡ଼ି ହୋଇ ଶୋଉଥିବା ଲୋକଙ୍କୁ ଆଜି ଦିନବେଳା କମ୍ବଳ କାଢ଼ିବାକୁ ପଡ଼ିଥିଲା ।

ମଙ୍ଗଳବାର ରାତିରୁ ରାଜଧାନୀରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ୨୪ଘଣ୍ଟା ମଧ୍ୟରେ ୨୪.୪ମିମି ବର୍ଷା ରେକର୍ଡ଼ ହୋଇଛି । ବର୍ଷା ସହ ଘଣ୍ଟା ପ୍ରତି ୩୫ରୁ ୪୦ କିମି ବେଗରେ କାଲୁଆ ପବନ ବହୁଥିବାରୁ ଆଜି ରାଜଧାନୀବାସୀ ପ୍ରବଳ ଥଣ୍ଡା ଅନୁଭବ କରିଛନ୍ତି । ଏପରିକି ମଙ୍ଗଳବାର ରାଜଧାନୀରେ ଦିନବେଳା ସର୍ବୋଚ୍ଚ ତାପମାତ୍ରା ୨୮.୧ଡିଗ୍ରି ଥିବାବେଳେ ଆଜି ଏକାଥରେ ୬ଡିଗ୍ରି କମି ୨୨.୨ଡିଗ୍ରିରେ ପହଞ୍ଚିଛି । ମଙ୍ଗଳବାର ରାତିରେ ଯେତିକି ତାପମାତ୍ରା ଥିଲା ରାଜଧାନୀବାସୀ ଆଜି ଦିନ ସାରା ସେତିକି ତାପମାତ୍ରା ଅନୁଭବ କରିଥିଲେ। ଏହାସହ ରାତିର ସର୍ବନିମ୍ନ ତାପମାତ୍ରା ୧୯ଡିଗ୍ରି ଥିବାରୁ ଶୀତ ପାଇଁ କମ୍ବଳ ଦରକାର ପଡ଼ିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ପାଗ ଲାଗି ରହିବ । ବର୍ଷା ସହ ଥଣ୍ଡା ପବନ ବହୁଥିବାରୁ ଶୀତ କମିବାର ସମ୍ଭାବନା ନାହିଁ ।

ଅପରପକ୍ଷେ ଆଜି ଦିନତମାମ୍‌ ବର୍ଷା ଲାଗି ରହିଥିବାରୁ ରାଜଧାନୀବାସୀଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିଲା । ଅଦିନିଆ ବର୍ଷାରେ ଲୋକଙ୍କର ଭିଜିବାକୁ ଇଚ୍ଛା ଥିଲେ ହେଁ ଥଣ୍ଡା ପବନ ଓ ଶୀତ ଏଥିରେ ବାଧକ ସାଜିଥିଲା । ଏପରିକି କେତେକ ବର୍ଷାରେ ଭିଜି ଭିଜି ନିଜ କର୍ମକ୍ଷେତ୍ରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଝିପିଝିପି ବର୍ଷା ଯୋଗୁଁ ରାଜଧାନୀର କୌଣସି ସ୍ଥାନରେ ପାଣି ଜମିଥିବା ଅଭିଯୋଗ ହୋଇନି । କିନ୍ତୁ ବସ୍ତିବାସିନ୍ଦା ଶୀତ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ହଠାତ୍‌ ଶୀତ ପାଇଁ ପ୍ରସ୍ତୁତ ନଥିବା ବସ୍ତିବାସିନ୍ଦା ଆଜି ବହୁ କଷ୍ଟରେ ଦିନ ବିତାଇଛନ୍ତି ।