ଦୁଃଖିନୀ ମା’ର ସୁନା ପୁଅ : ପର ଘରେ ବାସନ ମାଜୁଛି ମା’, କଠିନ ସଂଘର୍ଷ ପରେ ଇସ୍ରୋରେ ପୁଅକୁ ମିଳିଲା ଚାକିରି

3,043

କନକ ବ୍ୟୁରୋ : ମୁମ୍ବାଇର ଝୋପଡ଼ିରୁ ଇସ୍ରୋ ଯାତ୍ରା । ଦୃଢ଼ ଇଚ୍ଛାଶକ୍ତି ଆଗରେ ଅଭାବ ଅନଟନ ବାଧକ ସାଜି ପାରିଲାନି । ଇସ୍ରୋରେ ଚାକିରି ପାଇଲେ ମୁମ୍ବାଇର ରାହୁଲ ଘୋଡ଼କେ । ସଂଘର୍ଷକୁ ମାତ ଦେଇ ମା’ ପରିଶ୍ରମର ମୂଲ ରଖିଛନ୍ତି ରାହୁଲ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ମଧ୍ୟ କଠିନ ପରିଶ୍ରମ କରି ଇସ୍ରୋରେ ଚାକିରି ପାଇପାରିଛନ୍ତି ।

ମୁମ୍ବାଇ ଚେମ୍ବୁର ଅଞ୍ଚଳରର ମେରୋଲି ଚର୍ଚ୍ଚ ସ୍ଥିତ ନାଳନ୍ଦାନଗରର ଏକ ଝୋପଡ଼ିରେ ରହନ୍ତି ରାହୁଲ । ପିଲାଦିନ ଭାରି କଷ୍ଟରେ କଟିଛି । ଦଶମ ପଢ଼ୁଥିବା ବେଳେ ବାପା ଆରପାରିକୁ ଚାଲିଯାଇଥିଲେ । ପିତାଙ୍କ ମୃତ୍ୟୁ ପରେ ରାହୁଲଙ୍କ ଉପରକୁ ଆସିଗଲା ପରିବାର ଭାର । ବାପାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ରାହୁଲ । ବାପା ମୁଲମଜୁରୀ କରି ଘର ଚଳାଉଥିଲେ । ଶେଷର ବାଧ୍ୟ ହୋଇ ପାଠପଢ଼ିବା ସହ କେଟରିଂ ସର୍ଭିସରେ କାମ କଲେ ରାହୁଲ । ସେତିକିରେ ପରିବାର ଚଳାଇବା କଷ୍ଟକର ହେବାରୁ ତାଙ୍କ ମା’ ପରଘର ବାସନ ମାଜୁଥିଲେ ।

ତେବେ ଏତେ କଷ୍ଟରେ ବି ପାଠପଢ଼ା ଜାରି ରଖିଥିଲେ ରାହୁଲ । ତେବେ ଦୁର୍ଭାଗ୍ୟବଶତଃ ପାଠପଢ଼ା ଉପରେ ଧ୍ୟାନ ଦେଇ ନାପାରିବାରୁ ଦ୍ୱାଦଶ ପରୀକ୍ଷାରେ ବିଫଳ ହୋଇଥିଲେ ସେ । ତଥାପି ଭାଙ୍ଗିନପଡ଼ି ତା’ପରେ ଆଇଟିଆଇ ପାଠ୍ୟକ୍ରମରେ ନାଁ ଲେଖାଇଥିଲେ । କଠିନ ପରଶ୍ରମ କରି ଆଇଟିଆଇରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ ରାହୁଲ । ଆଇ ତା’ପରେ ଡିପ୍ଲୋମାରେ ନାଁ ଲେଖାଇଥିଲେ । ଆଉ ତା’ସହ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ବି ଜାରି ରଖିଥିଲେ । ଆଉ ସେତିକିବେଳେ ଇସ୍ରୋରେ ଟେକ୍ନିସଆନ୍ ପଦବୀ ପାଇଁ ବିଜ୍ଞପ୍ତ ପ୍ରକାଶ ପାଇଥିଲା । ଆଉ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ରାହୁଲ । ଗତ ୨ ମାସ ହେବ ସେ ଇସ୍ରୋରେ ଟେକ୍ନିସିଆନ୍ ଭାବେ କାମ କରୁଛନ୍ତି । ନିଜର ସଂଘର୍ଷ ଓ ମା’ର କଷ୍ଟକୁ ସାର୍ଥକ କରିଛନ୍ତି ରାହୁଲ ।