ସଭାପତି ହେବାପରେ ପ୍ରଥର ଥର ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ୨୫ରେ ଆସିବେ, ନିର୍ବାଚନୀ ବିଗୁଲ ବଜାଇବେ 

681

କନକ ବ୍ୟୁରୋ : ଆସନ୍ତା ୨୫ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପାରାଦୀପର ଏକ ଦଳୀୟ ସମାବେଶରେ ଯୋଗଦେବା ପାଇଁ ଓଡ଼ିଶା ଆସିବେ ରାହୁଲ । ଦିଲ୍ଲୀରୁ ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ଏଆଇସିସିର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏବଂ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସଭାପତି ସମ୍ଭାଳିବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ।

ତେବେ ଏଥର ଓଡ଼ିଶା ଗସ୍ତରେ କେଉଁ ରଣନୀତି ନେଇ ରାହୁଲ ଆସୁଛନ୍ତି ସେଉପରେ ସମସ୍ତଙ୍କ ନଜର । ତେବେ ରାହୁଲଙ୍କ ଓଡ଼ିଶା ଗସ୍ତ ରାଜ୍ୟର କର୍ମକର୍ତ୍ତାକୁ ନୂଆ ଉତ୍ସାହ ଯୋଗାଇବ ବୋଲି କୁହାଯାଉଛି ।  କାରଣ ନିକଟରେ ତିନି ବିଜେପି ସତ୍ତାରୂଢ଼ ରାଜ୍ୟକୁ ଅକ୍ତିଆର କରିଛି କଂଗ୍ରେସ । ଆଉ କଂଗ୍ରେସର ଏହି ସଫଳତାର ସମସ୍ତ ଶ୍ରେୟ ଯାଇଛି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ । ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ କଂଗ୍ରେସ ହାତକୁ ଲାଗିଛି ବଡ଼ ବିଜୟ । ଏହା ରାହୁଲଙ୍କ ପାଇଁ ଏକ ବଡ଼ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବନାହିଁ ।

ଆଉ ମାତ୍ର କିଛି ମାସ ପରେ ୨୦୧୯ ଲୋକସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି । ରାହୁଲଙ୍କ ଏହି ଓଡ଼ିଶା ଗସ୍ତ ନିର୍ବାଚନୀ ପ୍ରଚାରର ଅଂଶବିଶେଷ ହୋଇପାରେ । ଚଳିତ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ ନିର୍ବାଚନୀ ବିଗୁଲ ବଜାଇ ପାରିନ୍ତି । କାରଣ ଓଡ଼ିଶା ଉପରେ ଏବେ ଉଭୟ ମୋଦି ସରକାର ଓ ରାହୁଲ ଗାନ୍ଧୀଙ୍କ ନଜର ।

ସେପଟେ ବିଜେଡ଼ି କହିଛି ରାହୁଲଙ୍କ ଓଡ଼ିଶା ଗସ୍ତ କୌଣସି ପ୍ରଭାବ ପକାଇବ ନାହିଁ । ପୋଲାଭରମ ପ୍ରସଙ୍ଗରେ ୨୦୦୪ରୁ ୨୦୧୪ଭିତରେ କଂଗ୍ରେସର ବୈମାତୃକ ମନୋଭାବ ବିଷୟରେ ରାଜ୍ୟବାସୀ ଅବଗତ ଅଛନ୍ତି  । କଂଗ୍ରେସ ନେତାମାନେ ବିଭିନ୍ନ ସମୟରେ ଏପରି ଓଡ଼ିଶା ବୁଲିବା ପାଇଁ ଆସନ୍ତି । ଏଥର ବି ଓଡ଼ିଶା ଆସୁଛନ୍ତି ରାହୁଲ ।