ଦଳିତ ସଭାରୁ ବିଜେପିକୁ ଟାର୍ଗେଟ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି : କହିଲେ, ଦେଶରେ ଦଳିତଙ୍କୁ ସ୍ଥାନ ଦେବାକୁ ଚାହୁଁନାହାଁନ୍ତି ବିଜେପି ଓ ଆରଏସଏସ୍

61

କନକ ବ୍ୟୁରୋ : ଦିଲ୍ଲୀ ଜନ୍ତରମନ୍ତରରେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଆୟୋଜିତ ସଭାରୁ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳିତଙ୍କୁ ଦଳି ଦେବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଦଳିତଙ୍କ ପାଇଁ କୌଣସି ସ୍ଥାନ ନାହିଁ । ବିଜେପି ଓ ଆରଏସଏସ୍ ଦଳିତଙ୍କୁ ଦେଶରେ ସ୍ଥାନ ଦେବାକୁ ଚାହୁଁନାହାଁନ୍ତି । ଏସସିଏସଟି ଆକ୍ଟ ଓ ସଂରକ୍ଷଣ ପ୍ରସଙ୍ଗରେ ଦଳିତ ସମୁଦାୟ ମୋଦି ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି । ଆଜି ଏଥିପାଇଁ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳିତ ସଙ୍ଗଠନ । ଦେଶର ବିଭିନ୍ନ ସ୍ଥାନରେ ଦଳିତ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ସଭାର ଆୟୋଜନ କରାଯାଇଛି । ଏହି କ୍ରମରେ ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରାଯାଉଛି । ଦଳିତ ସଙ୍ଗଠନକୁ ସମର୍ଥନ ଜଣାଇ ଆନ୍ଦୋଳନସ୍ଥଳରେ ଯୋଗ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ।

ସେପଟେ ଏସିସି-ଏସଟି ଆକ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି ଓ ସଂରକ୍ଷଣ ସହ ବିଭିନ୍ନ ମାମଲାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଅଲ ଇଣ୍ଡିଆ ଆମ୍ବେଦକର ମହାସଭା । ଭାରତ ବନ୍ଦ ଡାକରା ଟଳିଯାଇଛି କିନ୍ତ୍ୁ ବିଭିନ୍ନ ରାଜ୍ୟରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିହାର ଦରଭଙ୍ଗାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ସବର୍ଣ୍ଣ ସେନା ପକ୍ଷରୁ ରେଳରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।