ରାଫେଲ ଡିଲ ଦସ୍ତାବିଜ୍ ଚୋରି ନେଇ ପୁଣି ବର୍ଷିଲେ ରାହୁଲ ! କହିଲେ ପ୍ରମାଣପତ୍ର ଚୋରି ହେବା ଅର୍ଥ ଅଭିଯୋଗରେ ରହିଛି ସତ୍ୟତା, ପ୍ରଧାନମନ୍ତ୍ରୀ ଓ ପିଏମଓ ଉପରେ କାର୍ଯ୍ୟାନୁଷ୍ଠାନ ହେଉ

197

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ । ଏହି ବିବାଦକୁ ନେଇ ପୁଣି ଥରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ରାହୁଳ ଗାନ୍ଧୀ କହିଲେ ସରକାର ନୂଆ ଟ୍ୟାଗ୍‌ ଲାଇନ୍‌ ପାଇଛନ୍ତି- ଉଭାନ୍‌ ହେଇଗଲା। ନୂଆଦିଲ୍ଲୀ ଠାରେ ଗୁରୁବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଳ କହିଛନ୍ତି, ଦୁଇ କୋଟି ଯୁବଙ୍କ ବେକାରୀ ଉଭାନ୍‌ ହୋଇଗଲା । ଚାଷୀଙ୍କ ଲାଗି ଉପଯୁକ୍ତ ମୂଲ୍ୟ ଉଭାନ୍‌ ହୋଇଗଲା । ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୧୫ ଲକ୍ଷ ଲେଖାଏଁ ଜମା ପ୍ରତିଶ୍ରୁତି ଉଭାନ୍‌ ହୋଇଗଲା । ଏବଂ ଏବେ ରାଫେଲ୍‌ ଫାଇଲ୍‌ ଉଭାନ୍‌ ହୋଇ ଯାଇଛି ।

ରାହୁଲ ଗାନ୍ଧି କହିଛନ୍ତି ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ କଂଗ୍ରେସର ଅଭିଯୋଗରେ ସତ୍ୟତା ରହିଛି । ପ୍ରଥମେ ସମସ୍ତେ କହୁଥିଲେ ରାଫେଲ ଡିଲରେ କୌଣସି ଦୁର୍ନୀତି ହୋଇନାହିଁ । କିନ୍ତୁ ପରେ ଆମ ପ୍ରମାଣ କଲୁ ରାଫେଲ ଡିଲରେ ଘୋଟାଲା ହୋଇଛି । ଯଦି କୌଣସି ଘୋଟାଲା ହୋଇନାହିଁ ତେବେ ପ୍ରଧାନମନ୍ତ୍ରୀ କାହିଁକି ଯାଂଚ ନିର୍ଦ୍ଦେଶ ଦେଉନାହାନ୍ତି । ରାଫେଲ ଡିଲ୍ ସମ୍ପର୍କୀତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ ।

ସୂଚନାଯୋଗ୍ୟ ରାଫେଲ ରାୟର ପୁନର୍ବିଚାର କରିବା ପାଇଁ ଆଗତ ପିଟିସନ ଉପରେ ଶୁଣାଣି  ବେଳେ ପ୍ରତିରକ୍ଷା ମନ୍ତ୍ରାଳୟରୁ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର ଚୋରି ହୋଇଯାଇଥିବା ନେଇ ଗତକାଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ । ଏହି ଚୋରି ଦସ୍ତାବିଜକୁ ଆଧାର କରି ଦ ହିନ୍ଦୁ ଖବରକାଗଜ ରିପୋର୍ଟ ଛାପିଥିବା କହିଥିଲେ ବେଣୁଗୋପାଳ । କୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ଏହାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏହି ଖବରକାଗଜ ରିପୋର୍ଟ ଛାପି ଅଦାଲତ ଅବମାନନା କରିଛି ବୋଲି ସେ ଅଭିଯୋଗ ଆଣିଥିଲେ ।

ଏବଂ ଏଥିପାଇଁ ଖବରକାଗଜ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲେ । ତେବେ ଏନେଇ ଏଫଆଇଆର ହୋଇନଥିବାରୁ ଉଦବେଗ ପ୍ରକାଶ କରିଥିଲେ କୋର୍ଟ । ସରକାର କଣ ପଦକ୍ଷେପ ନେଇଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି । ଏବଂ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତି ଶୁଣାରି ଆସନ୍ତା ୧୪ତାରିଖରେ ହେବ । ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ନେଇ ପ୍ରମାଣ ମାଗିଛନ୍ତି ରାହୁଲ । ସହିଦ ପରିବାର ପ୍ରମାଣ ମାଗୁଥିବା ଆଳରେ ପ୍ରମାଣ ମାଗିଛନ୍ତି ରାହୁଲ ।