ଡେଲାଙ୍ଗରେ ପୁଲିସର ଏନକାଉଂଟର ! ଅଠରନଳା ପ୍ରକାଶ ସାହୁ ଗୁଳିକାଣ୍ଡ ମାମଲାର ଅଭିଯୁକ୍ତ ଗୋରା ଆହତ

38

କନକ ବ୍ୟୁରୋ : ପୁରୀ ଅଠରନଳା ଗୋପିନାଥପୁରରେ ପ୍ରକାଶ ସାହୁ ଗୁଳିକାଣ୍ଡ ମାମଲାରେ ଅଭିଯୁକ୍ତ ଗୋରା ମଲ୍ଲିକଙ୍କୁ ଡେଲାଙ୍ଗ ପୁଲିସର ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଡେଲାଙ୍ଗ ବେଗୁନିଆପଡା ରାସ୍ତା ମଝିରେ ଗୋରା ମଲ୍ଲିକକୁ ଧରିବା ପାଇଁ ଯୋଜନା କରିଥିଲା । ଏହି ସମୟରେ ପୁଲିସ ଉପରକୁ ଗୋରା ମଲ୍ଲିକ ଦୁଇ ରାଉଣ୍ଡ ଫାୟାରିଂ କରିଥିବାବେଳେ ଏହାର ଜବାବରେ ପୁଲିସ ଏନକାଉଂଟର କରିଛି ।

ଗୋରା ମଲ୍ଲିକର ଡାହାଣ ଗୋଡରେ ଗୁଳି ବାଜିଥିବାରୁ ପ୍ରଥମେ ଡେଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୋରା ସହ ଥିବା ତାର ସହଯୋଗୀ ଖଣ୍ଡିଆବନ୍ଧର ବେନୁଆ ରାଉତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ଏକ ବାଇକ, ୪ରାଉଣ୍ଡ ଗୁଳି, ଗନ ପାଉଡର ଓ କିଛି ଡବା ବମ୍ ଜବତ କରିଛି । ଗୋରା ନାଁରେ ଡକାୟତି, ଛିନତାଇ ଓ ହତ୍ୟା ଅଭିଯୋଗରେ ୧୪ଟି ମାମଲା ରହିଛି ।

ଏପ୍ରିଲ ୮ରେ ଗୋପିନାଥପୁର ଛକରେ ବୋମାମାଡ ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ଆଉ ୩ଟି ମାମଲା ସେ ସମ୍ପୃକ୍ତ ଥିବା ପୁଲିସ କହିଛି । ଦାଦାବଟି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋପିନାଥପୁର ବୋମାମାଡ ଘଟଣା ଘଟିଥିବା ବେଳେ ପୂର୍ବରୁ ଗୋରାର ଭାଇ କାଳିଆକୁ ପୁଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାର ସମସ୍ତ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।