କନକ ବ୍ୟୁରୋ : ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ୟୁପିଏର ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ କରିବ ଆମ ଆଦମୀ ପାର୍ଟି(ଆପ୍) । ଆପ୍ ଘୋଷଣା କରିଛି ଯେ, ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ମୀରା କୁମାରଙ୍କୁ ସମର୍ଥନ କରିବ । ଆପର ପିଏସି ବୈଠକରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ପରେ ଆପ ସାମ୍ବାଦିକ ସମ୍ମିଳନୀରେ ମୀରା କୁମାରଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛି ।

Advertisment

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ କହିଛନ୍ତି, ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳର ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ ଦେବ । ସଞ୍ଜୟ ସିଂହ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନରେ ଦଳଗତ ରାଜନୀତି ଠାରୁ ଦୂରରେ ରହିବା ଉଚିତ । ସେ କହିଛନ୍ତି ଏହି ପଦ ପାଇଁ ଭୋଟ ଦେବା ପରଂପରା ଠିକ ନୁହେଁ ।

ଏହି ପଦ ପାଇଁ ଆପୋଷ ବୁଝାମଣା ଆଧାରରେ ସମସ୍ତ ଦଳକୁ ଏକାଠି ହୋଇ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ଚୟନ କରାଯିବା ଦରକାର । ରାଷ୍ଟ୍ରପତି ପଦ ପାଇଁ ଏବେ ନିର୍ବାଚନ ହେଉଛି । ଆମ ଆଦମୀ ପାର୍ଟି ପକ୍ଷରୁ ମୀରା କୁମାରଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛି ବୋଲି ସଞ୍ଜୟ କହିଛନ୍ତି । ସୂଚନାଯୋଗ୍ୟ, ମୀରା କୁମାର ଟେଲିଫୋନ ମାଧ୍ୟମରେ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ସମର୍ଥନ ମାଗିଥିଲେ ।