ଗାଁକୁ ରାସ୍ତା ନାହିଁ, ପୁଣି ୫ କିଲୋମିଟର ବୁହାହେଲେ ଗର୍ଭବତୀ ମହିଳା

52

କନକ ବ୍ୟୁରୋ : ଗାଁକୁ ରାସ୍ତା ନଥିବାରୁ ପୁଣି  ଜଣେ ଗର୍ଭବତୀ ମହିଳା ୫ କିଲୋମିଟର ରାସ୍ତା ବୁହାହୋଇ ଆସିଲେ । ଏଥର ଖଟିଆରେ ନୁହେଁ ଷ୍ଟ୍ରେଚରରେ ବୁହା ହୋଇ ଆସିଛନ୍ତି ଗର୍ଭବତୀ ମହିଳା । ଘଟଣାଟି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପରରାଇଗଡା ପଞ୍ଚାୟତ ଛଡାଡିହି ଗ୍ରାମର ।

ଗ୍ରାମର ସୁରେଶ ମୁଣ୍ଡାଙ୍କ ପତ୍ନୀ ନିତିମା ମୁଣ୍ଡାଙ୍କର ଗତକାଲି ରାତିରୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ରାତିରେ ଡାକ୍ତରଖାନା ନେବାକୁ କୌଣସି ବ୍ୟବସ୍ଥା ନଥିଲା । ଛଡାଡିହି ଗ୍ରାମରୁ ପାଖପାଖି ୭ କିଲୋମିଟିର ଉପର ରାୟଗଡ଼ାରେ ରହୁଥିବା ଆଶା ଦିଦି ସାବିତ୍ରୀ ପ୍ରଧାନଙ୍କୁ ଖବର ଦେଇଥିଲେ । ସେ ୧୦୨ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ୧୦୨ ଆମ୍ବୁଲାନ୍ସ ସକାଳ ୯ଟା ବେଳେ ଛଡାଡିହି ଗ୍ରାମରୁ ୫ କିଲୋମିଟିର ଦୂରରେ ଅଟକି ରହିଥିଲା । କାରଣ ଗାଁକୁ ରାସ୍ତା ନାହିଁ । ଫଳରେ ଅନ୍ୟ ରୋଗୀଙ୍କ ପରି ନିତିମାଙ୍କୁ ମଧ୍ୟ ଗାଁର ଯୁବକ ଏକ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ । ସେଠାରୁ ୧୦୨ ଆମ୍ବୁଲାନ୍ସରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପାଖାପାଖି ୨ ଘଣ୍ଟା ରହିବା ପରେ ଡାକ୍ତର ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

ଏହି ଘଟଣା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ ଅଧିକାରୀମାନେ କାମ କରିବାକୁ ଦାୟିତ୍ବ ନେଇଥିଲେ ସେମାନଙ୍କୁ ନିଲମ୍ବନ କରାଯାଉ, ନଚେତ ଗାଁକୁ ଆଉ କୌଣସି ସରକାରୀ ଅଧିକାରୀଙ୍କୁ ଆସିବାକୁ ଦେବୁ ନାହିଁ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।