ଖୁଂଟୁଣୀ ଅନନ୍ତପୁର ଗାଁରେ ସାଇକେଲ ଦୁର୍ଘଟଣାକୁ ନେଇ ଗଣ୍ଡଗୋଳ ! ପ୍ରଜାକୋର୍ଟର ଅଜବ ନ୍ୟାୟ, ଗୋଟିଏ ପରିବାର ଗାଁରୁ ବାସନ୍ଦ

28

କନକ ବ୍ୟୁରୋ : କିଛି ଗାଁରେ ଏବେ ବି ଚାଲିଛି ମଧ୍ୟଯୁଗୀୟ ଶାସନ । କଥା କଥାକେ ସାମାଜିକ ବାସନ୍ଦ ହେଉଛନ୍ତି ଲୋକେ । ଆଦିବାସୀ ବହୁଳ ନବରଂଗପୁର କି ମାଲକାନଗିରି ନୁହେଁ, ଘଟଣା ଘଟିଛି ଉନ୍ନତ କଟକ ଜିଲ୍ଲାରେ । ଖୁଂଟୁଣୀ ଥାନା ଅନନ୍ତପୁର ଗାଁରେ ସାମାନ୍ୟ ସାଇକେଲ ଦୁର୍ଘଟଣାକୁ ନେଇ ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ଗତ ୬ ତାରିଖ ଦିନ ଗାଁ ସଭାପତି ବଟକିଶୋର ସେଠୀ ଓ ଗାଁର ଗୌରୀ ସାହୁଙ୍କ ପରିବାରର ଦୁଇ ପିଲାଙ୍କ ଭିତରେ ସାଇକେଲ ଦୁର୍ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଏ ବିବାଦ ରାଜନୈତିକ ରୂପ ବି ନେଇଥିଲା ।

ମନ୍ଦିରରେ ଉଭୟ ପକ୍ଷ ବସି ଆପୋଷ ସମାଧାନ କରିଥିଲେ ବି ପରେ ସଭାପତିଙ୍କ ସମର୍ଥକ, ଗୌରୀ ସାହୁଙ୍କ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଖୁଂଟୁଣୀ ଥାନାରେ ଅଭିଯୋଗ କରିଥିଲେ ଗୌରୀ । ଆଉ ପୋଲିସ ପାଖକୁ କାହିଁକି ଗଲେ ବୋଲି ଗାଁ ସଭାପତି ପ୍ରଜାକୋର୍ଟ ବସାଇ ତାଙ୍କ ପରିବାରରକୁ ବାସନ୍ଦ କରିଛନ୍ତି । ଏପରିକି ଗାଁରେ ଡେଙ୍ଗୁରା ବଜାଇ ଏ ସଂପର୍କରେ ଘୋଷଣା ମଧ୍ୟ କରାଯାଇଛି । ଗୌରୀଙ୍କ ପରିବାରକୁ ନିଆଁପାଣି ବନ୍ଦ କରାଯାଇଥିବା ବେଳେ ଦୋକାନୀ ବି ତାଙ୍କୁ ସଉଦା ନଦେଇ ଫେରାଇ ଦେଇଛନ୍ତି । ୫ହଜାର ଟଙ୍କା ଜୋରିମାନା ଦେଲେଗୌରୀଙ୍କ ପରିବାର ଗାଁରେ ମିଶିବେ ବୋଲି ରାୟ ଶୁଣାଇ ଦେଇଛନ୍ତି ସଭାପତି ।