ବିଜେଡ଼ିରେ ଯୋଗଦେବା ପ୍ରସଙ୍ଗକୁ ଖଣ୍ଡନ କଲେ ପ୍ରଫୁଲ୍ଲ ମାଝୀ ! କହିଲେ, ବଞ୍ଚିଥିବା ଯାଏଁ କଂଗ୍ରେସରେ ରହିବି

148

କନକ ବ୍ୟୁରୋ : କଂଗ୍ରେସ ଛାଡ଼ିବେନି ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ । ପ୍ରଫୁଲ୍ଲ ମାଝୀ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସର ଦୁଇ ଟାଣୁଆ ନେତା ନବ ଦାସ ଓ ଯୋଗେଶ ସିଂ ବିଜେଡ଼ିରେ ଯୋଗଦେବା ପରେ ପ୍ରଫୁଲ୍ଲ ମାଝୀ ଖୁବ ଶୀଘ୍ର ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏକଥାକୁ ଖଣ୍ଡନ କରିଛନ୍ତି ପ୍ରଫୁଲ୍ଲ ମାଝୀ । ସେ କହିଛନ୍ତି, ଯେତେ ଭଲ ଅଫର ଦେଲେ କିମ୍ବା ପ୍ରଲୋଭିତ କଲେ ବି ମୁଁ ଦଳ ଛାଡ଼ିବି ନାହିଁ । ବଂଚିଥିବା ଯାଏଁ କଂଗ୍ରେସ ଦଳରେ ରହିବି । ଏହି ଦଳରୁ ଦୁଇ ଦୁଇ ଥର ବିଧାୟକ ହୋଇଛି । ଏଠାରୁ ସମ୍ମାନ ପାଇଛି, ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି  । ଦଳ ଛାଡ଼ିବାର କୌଣସି ଯଥାର୍ଥତା ନାହିଁ ।

ସେ କହିଛନ୍ତି ଏମପି ଟିକେଟ ପାଇଁ ମୋର କୌଣସି ଲୋଭ ନାହିଁ । ବିଧାୟକ ହୋଇ ମୁଁ ବହୁତ ଖୁସି ଅଛି । ବିଧାୟକ ହେଲେ ଲୋକଙ୍କ ସହ ମିଶିବାର ତଥା ଯୋଡ଼ି ହେବାର ସୁଯୋଗ ମିଳେ । ଏମପି ହେଲେ ସେସବୁ ହୋଇପାରେ ନାହିଁ । ତେବେ ବିଜେଡ଼ିରେ ଯୋଗଦେବା ଚର୍ଚ୍ଚା କିପରି ହେଉଛି ସେ ବିଷୟରେ ସମ୍ପୂର୍ଣ୍ଣ ଅଜଣା ବୋଲି ସେ କହିଛନ୍ତି । କାରଣ କୌଣସି ମିଡ଼ିଆ ସାମ୍ନାରେ ସେ ଏପରି କିଛି ମତ ରଖିନାହାନ୍ତି ।

ନବ ଓ ଯୋଗେଶ ବିଜେଡ଼ିରେ ଯୋଗଦେବା ପ୍ରସଙ୍ଗରେ ପ୍ରଫୁଲ୍ଲ କହିଛନ୍ତି ଯିଏ ବେପାର କରୁଛି ସିଏ ବିଜେଡ଼ିରେ ମିଶୁଛି । ମୋ ଅଂଚଳରେ ବେପାର ନାହିଁ । ତେଣୁ ବିଜେଡ଼ିରେ ମିଶିବାର ପ୍ରଶ୍ନ ଉଠୁନାହିଁ । ଆଦିବାସୀଙ୍କ ପାଇଁ କାମ କରୁଛି, ଆଉ ଆଦିବାସୀଙ୍କ ପାଇଁ ଶେଷ ନିଶ୍ୱାସ ଥିବା ଯାଏ କାମ କରିବି । ମୋ ଉପରେ ସେମାନେ ବିଶ୍ୱାସ କରିଛନ୍ତି । ତାଙ୍କ ବିଶ୍ୱାସ କୌଣସି ମତେ ମୁଁ ଭାଙ୍ଗିବି ନାହିଁ ।