ଆଳୁ ବଜାରରେ ଚଡ଼କ ! ଦୁଇ ଦିନ ହେବ ହୁ ହୁ ହୋଇ ବଢୁଛି ଦର

37

କନକ ବ୍ୟୁରୋ : ହଠାତ୍ ଆଳୁ ବଜାରରେ ଚଡ଼କ ପଡିଛି । ଦୁଇ ତିନି ଦିନ ମଧ୍ୟରେ ଆଳୁ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବଜାରରେ ଆଳୁ ଦର ପାଖାପାଖି ୫୦ ପ୍ରତିଶତ ଦର ବୃଦ୍ଧି ପାଇଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୁଇ ଦିନ ତଳେ କିଲୋ ପ୍ରତି ୭ – ୮ ଟଙ୍କାରେ ଆଳୁ ମିଳୁଥିବା ବେଳେ ଏବେ ତାହା ୧୧–୧୨ ଟଙ୍କାରେ ପହଁଚିଯାଇଛି । ତେବେ ବ୍ୟବସାୟୀମାନେ କହିଛନ୍ତି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଚଢା ଦରରେ ଆଳୁ ଆମଦାନୀ ହେଉଛି ।

ସ୍ଥାନୀୟ ଚାଷୀଙ୍କ ଆଳୁ ଶେଷ ହୋଇ ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଆଗରୁ କ୍ୟୁଂଟାଲ ପିଛା ୫୦୦ରୁ ୫୫୦ ଟଙ୍କା ପଡୁଥିବା ବେଳେ ଏବେ ତାହା ୭୫୦ ଟଙ୍କାରେ କିଣିବାକୁ ପଡୁଛି ବୋଲି କହିଛନ୍ତି ଖୁଚୁରା ବ୍ୟବସାୟୀ । ସେପଟେ ଖରାଦିନେ ଆଳୁ ପଚିଯାଉଥିବାରୁ କମ୍ ଆମଦାନୀ କରାଯାଉଛି । ଯୋଗାଣ ବିଭାଗର ଉଦାସୀନତା ମଧ୍ୟ ଏଥିପାଇଁ ଦାୟି ବୋଲି କହିଛନ୍ତି ବ୍ୟବସାୟୀ ସଂଘର ସଂପାଦକ ।