ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର ଅଭିନବ ପ୍ରୟାସ : ସାଇକେଲରେ ଅଫିସ୍ ଆସିବାକୁ ନିର୍ଦ୍ଦେଶ

605

କନକ ବ୍ୟୁରୋ : ଏଣିକି ପ୍ରତି ଶୁକ୍ରବାର ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କର୍ମଚାରୀମାନେ ସାଇକେଲ୍‌ରେ କିମ୍ବା ଚାଲି ଚାଲି ଅଫିସ୍‌ ଆସିବେ । ଏହା ଆସନ୍ତା ଶୁକ୍ରବାରଠାରୁ କଡ଼ାକଡ଼ି ଲାଗୁ ହେବ। ଏହି ତିନିଟି ସଂସ୍ଥାର ସମସ୍ତ ନିୟମିତ କର୍ମଚାରୀ ଓ ଆଉଟ୍‌ସୋର୍ସିଂ କର୍ମଚାରୀ ବି ଏହି ନିୟମ ମାନିବେ । ଏନେଇ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ରାଜଧାନୀର ପ୍ରଦୂଷଣ ମାତ୍ରା ଚିନ୍ତାଜନକ ହୋଇ ପଡ଼ିଥିବାରୁ ଏହାର ମୁକାବିଲା ପାଇଁ ରାଜଧାନୀର ତିନି ପ୍ରମୁଖ ସଂସ୍ଥାର କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ଏପରିକି ତିନିଟି ସଂସ୍ଥାର କ୍ୟାମ୍ପସକୁ କୌଣସି କର୍ମଚାରୀ କି ଅଧିକାରୀଙ୍କ ଗାଡ଼ି ଛଡ଼ା ଯିବନି। କେବଳ ଜରୁରୀକାଳୀନ ଗାଡ଼ି ଚଳାଚଳ କରିବ । ଏନେଇ ପ୍ରେମଚନ୍ଦ୍ର ଚୌଧରୀ ଚୌଧରୀ କହିଛନ୍ତି ଯେ ପାଣିପାଗ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ଯୋଗୁଁ ପରିବେଶ ଉପରେ ଏହାର କୁ-ପ୍ରଭାବ ବଢ଼ିବାରେ ଲାଗିଛି  ।

ତେଣୁ ରାଜଧାନୀର ତିନିଟି ପ୍ରମୁଖ ସରକାରୀ ସଂସ୍ଥା ପକ୍ଷରୁ ଏହି ଛୋଟ ପଦକ୍ଷେପ ନିଆଯାଇଛି। କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ୍‌ ରହିବେ ଏବଂ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିବାରେ ସହାୟକ ହେବେ । ସେହିପରି ଆଗାମୀ ଦିନରେ ଅଧିକରୁ ଅଧିକ ଲୋକ ଯେପରି ସାଇକେଲ୍‌ ଚଲାଇବେ, ସେ ନେଇ ବଡ଼ଧରଣର ପଦକ୍ଷେପ ନିଆଯିବ। ଏନେଇ ଯୋଜନା ପ୍ରସ୍ତୁତ ହେଉଛି ।

ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡରେ ପ୍ରାୟ ୮୦୦ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଗୋଟିଏ ଦିନ ଗାଡ଼ି ଚଳାଚଳ ବନ୍ଦ କଲେ ଏହାର ପ୍ରଭାବ ନିଶ୍ଚିତ ରାଜଧାନୀର ପରିବେଶ ଉପରେ ପଡ଼ିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୧ ଜନଗଣନା ଅନୁଯାୟୀ ରାଜଧାନୀରେ ୧୦ଲକ୍ଷ ଲୋକ ବାସ କରୁଥିବା ବେଲେ ପ୍ରାୟ ୧୪ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି ।