ଭଦ୍ରକ ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ ! ସହରରେ ପଇଁତରା ମାରିଲେ ୨୨ ପ୍ଲାଟୁନ ଫୋର୍ସ

21

କନକ ବ୍ୟୁରୋ : ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଭଦ୍ରକ । ଆଜି ସକାଳୁ ଏଯାଏ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ସାରା ସହରରେ ଜାରି ହୋଇଛି କର୍ଫ୍ୟୁ । କାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁର ଅବଧି ବଢିଛି । ପୁଲିସ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗମାର୍ଚ କରାଯାଇଛି । ବଜ୍ର ଗାଡି ସହ ୨୨ ପ୍ଲାଟୁନ ଫୋର୍ସ ଫ୍ଲାଗମାର୍ଚ କରୁଛନ୍ତି । ଏଡିଜି ବିନୟାନନ୍ଦ ଝାଙ୍କ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି ।

ପ୍ରତ୍ୟେକ ଟିକିନିଖି ହଲଚଲ ଉପରେ ନଜର ରଖିଛି ପୁଲିସ । ଜରୁରୀ ପରିସ୍ଥିତି ନହେଲେ ଘରୁ ବାହାରିବାକୁ ଲୋକଙ୍କୁ ମନା କରାଯାଇଛି । ବିଶୃଙ୍ଖଳାକାରୀଙ୍କୁ ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଛି । ୪୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫେସବୁକରେ ପୋଷ୍ଟିଂ ନେଇ ୪ଟି ମାମଲା ରୁଜୁ କରାଯାଇଛି । ୯ଟି ବାଇକ ଜବତ କରିଛି ପୁଲସ ।

ପରିସ୍ଥିତିକୁ ଆୟତକୁ ଆଣିବାକୁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭଦ୍ରକରେ ଦେଖା ଦେଇଥିବା ଅଶାନ୍ତିର ପ୍ରଭାବ ବାସୁଦେବପୁରରେ ବି ପଡିଛି । ସୁରକ୍ଷା ଦୃଷ୍ଟିରୁ ବାସୁଦେବପୁରରେ ବି ୧୪୪ ଧାରା ଲାଗୁ ହୋଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ଧାମନଗରରେ ବି ୧୪୪ ଧାରା ଜାରି ହୋଇଛି ।