ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ସମୁଦ୍ର ଓ ଆକାଶପଥରେ ଏକାଠି ହେବ ଭାରତ ଓ ଋଷ, ସ୍ୱାକ୍ଷର ହେଲା ୫୦ ବାଣିଜ୍ୟିକ ଚୁକ୍ତି

1,369

କନକ ବ୍ୟୁରୋ : ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚେନ୍ନାଇ-ଭ୍ଲାଦିବୋସ୍ତକ ମଧ୍ୟରେ ଖୁବ ଶୀଘ୍ର ଜାହାଜ ଚାଲିବ ବୋଲି କହିଛନ୍ତି ମୋଦି । ଉଭୟ ଦେଶ ମଧ୍ୟରେ ପ୍ରାୟ ୫୦ଟି ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର ହୋଇଛି । ଭାରତ ଓ ଋଷର ବନ୍ଧୁତା ଉପରେ ନିଜର ନୀତିକୁ ଦୁନିଆ ସାମ୍ନାରେ ରଖିଛନ୍ତି ମୋଦି । ଉଭୟ ଦେଶର ବନ୍ଧୁତା ବହୁତ ପୁରୁଣା । ଭାରତ ପ୍ରଥମ ଦେଶ ଯିଏ ଭ୍ଲାଦିବୋସ୍ତକରେ ନିଜର ଦୂତାବାସ ଖୋଲିଛି । ବର୍ତ୍ତମାନ ଭାରତ-ଋଷର ବନ୍ଧୁତା ଐତିହାସିକ ସ୍ତରରେ ପହଞ୍ଚିଛି । ଆଉ ଏହାକୁ ଆଉ ପାଦେ ଆଗେଇବା ଉଦ୍ଦେଶ୍ୟରେ ମୋଦି ଘୋଷଣା କରିଛନ୍ତି, ଉଭୟ ଦେଶ ଏକାସଙ୍ଗେ ମାହାକାଶ ଗବେଷଣା ଉପରେ କାମ କରିବ । ଚେନ୍ନାଇ ଓ ଭ୍ଲାଦିବୋସ୍ତକ ମଧ୍ୟରେ ଖୁବଶୀଘ୍ର ଜାହାଜ ଚଳାଚଳ ହେବ ।

ସେପଟେ ଋଷରେ ମାଲେସିୟା ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଉଭୟ ରାଷ୍ଟ୍ରମୁଖ୍ୟ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହା ସହିତ ବିବାଦିତ ଧର୍ମଗୁରୁ ଜାକିର ନାଇକ୍କୁ ଭାରତକୁ ପ୍ରତ୍ୟର୍ପଣ ପ୍ରସଙ୍ଗ ଉଠାଇଛନ୍ତି ମୋଦି । ମୋଦି ଜାକିର ନାଇକକୁ ପ୍ରତ୍ୟର୍ପଣ ମାମଲା ଉଠାଇବା ପରେ ଏଣିକି ଦୁଇ ଦେଶ ମଧ୍ୟରେ ଅଧିକାରୀସ୍ତରରେ କଥାବାର୍ତ୍ତା ଜାରି ରଖିବାକୁ ସହମତି ହୋଇଛି ।

 

ଏହା ପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋଆବେଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ମୋଦି ଓ ଆବେଙ୍କ ଭେଟକୁ ନେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଜାପାନ ପ୍ରଧାନମନ୍ତ୍ରୀ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ । ଆଜି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଇ ସେସନକୁ ମୋଦି ସମ୍ବୋଦ୍ଧନ କରିବାର କାର୍ଯ୍ୟକ୍ରମ ରହିଛି ।