ଅନନ୍ୟ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ : ବୈତରଣୀ ନଦୀର ପାଣି କୁଣ୍ଡରେ ପଡିଲେ ଅଦୃଶ୍ୟ ହୋଇଯାଏ, ନଅ କିଲୋମିଟର ଦୂରରେ ପୁଣି ଦୃଶ୍ୟମାନ ହୁଏ

1,293

କନକ ବ୍ୟୁରୋ : ଅପରୂପ ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରା ଭୀମକୁଣ୍ଡ ଜଳପ୍ରପାତ । ପାହାଡ଼ ଶୀର୍ଷରୁ ସ୍ରୋତସ୍ୱିନୀ ଜଳରାଶି ଲମ୍ଫ ପ୍ରଦାନ କରୁଥିବା ଦୃଶ୍ୟ ସତରେ ଅତି ଚିତ୍ତାକର୍ଷକ । ସବୁଜ ବନାନୀରେ ଭରପୁର ଏବଂ ଉପରୁ ତଳକୁ ଖସି ପଡୁଥିବା ଜଳରାଶିର ଶବ୍ଦ ଏକ ଭିନ୍ନ ଜଗତକୁ ନେଇଗଲା ଭଳି ପ୍ରତୀୟମାନ ହୋଇଥାଏ । ଏହାର ମନମୁଗ୍ଧକର ପାରିବେଶ ସାଙ୍ଗକୁ ସୁସ୍ଥ ଜଳବାୟୁ ଏ ସ୍ଥାନର ଶୋଭାକୁ ଦୁଇଗୁଣିତ କରିଥାଏ । ଶୀତ ଆରମ୍ଭ ହୋଇଯାଇଥିବା ଏହି ଜଳପ୍ରପାତର ଶୋଭାରାଜିକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇଯାଇଛି । ଜଳପ୍ରପାତର ଶୋଭାରାଜିକୁ ଉପଭୋଗ କରିବାକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି ।

ଭୀମକୁଣ୍ଡ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓ ଅତି ରମଣୀୟ ସ୍ଥାନ । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟଠାରୁ ୧୦୦ କିମି ଦୂରରେ ଏହି ଜଳପ୍ରପାତର ଉପସ୍ଥିତି । ପଥର ଗହ୍ଵର ଶଯ୍ୟାରେ ଘୋ ଘୋ ନାଦକରି ବହିଯାଇ ଏହା ଏକ ବିରାଟ କୁଣ୍ଡରେ ଲୀନ ହୋଇ ଯାଉଛି । ଜଳରାଶି ଚାରିପଟେ ଘେରିରହିଛି ସବୁଜ ବନାନୀ ଅପୂର୍ବ ରୂପସଜ୍ୟା । ଭୀମକୁଣ୍ଡରେ ଥିବା ଶ୍ରୀ ଶ୍ରୀ କୁଣ୍ଡେଶ୍ଵର ମହାଦେବଙ୍କ ମନ୍ଦିର ଏହାର ସୌନ୍ଦଜ୍ୟକୁ ଦ୍ୱିଗୁଣିତ କରି ଜନମାନସରେ ଭରିଦିଏ ଭକ୍ତି ଓ ପବିତ୍ରତା । ପବିତ୍ର ମକର ଶଙ୍କରାନ୍ତି ରେ ଏହିଠାରେ ବୁଡ ପକାଇ କୁଣ୍ଡେଶ୍ଵର ଦର୍ଶନ କଲେ ସମସ୍ତ ପାପ ନାଶ ହୁଏ ବୋଲି ରହିଛି ବିଶ୍ବାସ ।

କିମ୍ବଦନ୍ତୀ କହେ ପାଣ୍ଡବ ମାନଙ୍କ ଅଜ୍ଞାନ୍ତବାସରେ ଏଠାରେ କିଛି ଦିନ ଅତିବାହିତ କରିଥିଲେ । ଲୋକକଥା ଅନୁସାରେ ଗାଧୋଇବା ପାଇଁ ଭୀମଙ୍କୁ ଜଳ ପର୍ଯ୍ୟାପ୍ତ ନହେବାରୁ ଗଦା ସାହାଯ୍ୟରେ ପ୍ରହାର କରିଥଲେ । ଏପରି କରିବା ଦ୍ଵାରା ଏକ କୁଣ୍ଡ ସୃଷ୍ଟି ହୋଇଥିଲା ଏବଂ ସେହି କୁଣ୍ଡରେ ପଞ୍ଚୁ ପାଣ୍ଡବ ଗାଧୋଇଥିଲେ । ସେଇ ଦିନ ପାଖରୁ ଏହାର ନାମ ଭୀମକୁଣ୍ଡ ହୋଇଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ସମ୍ପୂର୍ଣ ବୈତରଣୀ ନଦୀର ପାଣି କୁଣ୍ଡରେ ପଡିଲା ପରେ ଅଦୃଶ୍ୟ ହୋଇଯାଏ ଏବଂ ପାଖାପାଖି ନଅ କିଲୋମିଟର ଦୂରରେ ପୁଣି ପାଣି ଦୃଶ୍ୟମାନ ହୁଏ । ସେଥିପାଇଁ ଭୀମକୁଣ୍ଡ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଅହେତୁକ ଆଗ୍ରହ । ସେଇଥି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବଣଭୋଜି କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ଭିଡ ଜମି ଥାଏ । ଲୋକଙ୍କ ସୁରକ୍ଷା ପାଇଁ ବିପଦପୂର୍ଣ୍ଣ ସ୍ତାନ ମାନଙ୍କରେ ତାର ବାଡ ଏବଂ ପିଲରର ବ୍ୟବସ୍ତା କରାଯାଇଛି । ତା ଛଡା ଭୀମକୁଣ୍ଡର ଦୃଶ୍ୟକୁ ଉପଭୋଗ କରିବା ପାଇଁ ୱାଚ ଟାୱାରର ମଧ୍ୟ ବ୍ୟବସ୍ଥା କରାଯାଇଛି ।