ପେଟା ଘାଟି ଉପରୁ ୨୫ ଫୁଟ ତଳକୁ ଖସିପଡ଼ିଲା କାର୍, ତିନି ଆହତ

147

କନକ ବ୍ୟୁରୋ : ଜୟପୁରର ପେଟା ଘାଟି ଉପରୁ ୨୫ ଫୁଟ ତଳକୁ ଖସିପଡ଼ିଲା କାର୍ । ସେଥିରେ ତିନି ଜଣ ଯାତ୍ରୀ ଥିଲେ । ଆଶ୍ଚର୍ଯ୍ୟର କଥା ତିନିଜଣଙ୍କର ଅବସ୍ଥା ବିଶେଷ ସାଂଘାତିକ ନୁହେଁ । ସେମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ତେବେ ଏହି ଘଟଣାରେ କାର୍ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସମୟରେ ORO2 AD-2868 ହୁଣ୍ଡାଇ ଆଇ-ଟେନ୍ କାର୍ ଲମତାପୁଟ ଆଡୁ ଜୟପୁରକୁ ଆସୁଥିଲା । କୋଟା ଜଙ୍କସନ୍ ନିକଟବର୍ତ୍ତୀ ପେଟା ଘାଟି ଉପରେ କାର୍ଟି ଭାରସାମ୍ୟ ହରାଇଥିଲା । ଏହାଫଳରେ କାର୍ ୨୫ ଫୁଟ୍ ତଳକୁ ଖସି ଯାଇଥିଲା ।

ଏ ସଂପର୍କରେ ଖବର ପାଇ ନିକଟବର୍ତ୍ତୀ ଅଞ୍ଚଳର ଲୋକେ କାର୍ରେ ଥିବା ତିନି ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ଯାତ୍ରୀମାନଙ୍କର ଅବସ୍ଥା ସଂକଟାପନ୍ନ ନୁହେଁ ବୋଲି ଜଣାଯାଇଛି ।  ଏଠାରେ ସୂଚନାଯୋଗ୍ୟ ଯେ ପ୍ରାୟ ସପ୍ତାହକ ତଳେ ସେହି ସ୍ଥାନରେ ଏକ ୧୦ ଚକିଆ ଟ୍ରକ୍ ତଳକୁ ଖସିଯାଇଥିଲା । ଏହି ଦୁର୍ଘଟଣାରେ ତିନିଜଣଙ୍କର ପ୍ରାଣହାନି ଘଟିଥିଲା ।