ଆଖିର ଲୁହ ଆଖିରେ ଶୁଖୁଛି . . ପରିଣତ ବୟସରେ ପର କରିଦେଲା ଗଳାରତନ : ପୁତୁରାକୁ ପୁଅ କରି ବାପାମା’ ଦାଣ୍ଡର ଭିକାରୀ, ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି 

1,050

କନକ ବ୍ୟୁରୋ : ଆଖିରୁ ଶୁଖୁନି ଲୁହ । କନ୍ଦାଉଛି ଗଳାରତନ । ପରିଣତ ବୟସରେ ପର କରିଦେଲା ନୟନ ପିତୁଳା । ପୁତୁରାକୁ ପୁଅ କରି ବାପା ମା ଆଜି ଦାଣ୍ଡର ଭିକାରୀ । କୂଳ ରକ୍ଷା କରିବା ଆଶାରେ ପୋଷ୍ୟ କରିଥିବା ପୁଅ ପାଇଁ ଆଜି ସେମାନେ ଅଲୋଡ଼ା । ନାଁ ଖାଇବାକୁ ଅଛି ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଅଛି । ମାଗି ଯାଚି ଓଳିଏ ଖାଇଲେ ଓଳିଏ ଉପବାସରେ ରହିବାକୁ ପଡ଼ୁଛି । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ପୁରୀ ଜିଲ୍ଲା ଅଞ୍ଜିରା ଗ୍ରାମର ବେଣୁଧର ପ୍ରଧାନ ଓ ପତ୍ନୀ କୁମୁଦିନୀ ପ୍ରଧାନ ।

କୂଳ ରକ୍ଷା କରିବା ସହ ଶେଷ ସମୟରେ ଆଶାବାଡ଼ି ସାଜିବ ପୁଅ । ଏପରି ଆଶା ନେଇ ନିଜ ଶଳାର ପୁଅକୁ ପୋଷ୍ୟ ଗ୍ରହଣ କରିଥିଲେ ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଞ୍ଜିରା ଗ୍ରାମର ନିସନ୍ତାନ ଦମ୍ପତି ବେଣୁଧର ପ୍ରଧାନ ଓ ପତ୍ନୀ କୁମୁଦିନୀ ପ୍ରଧାନ । ଅତି ଛୋଟ ବୟସରୁ ଆଣି ଖୁବ ଗେଲବସରରେ ପୁଅକୁ ବଢ଼ାଇଥିଲେ । ନିଜେ ନଖାଇ ପୁଅକୁ ଖୁଆଇପିଆଇ ବଢ଼ାଇଥିଲେ । ପାଠ ପଢ଼ି ପୁଅ ଚାକିରି କଲା । ପୁଅକୁ ବିବାହ ଦେବା ପରେ  ହସଖୁସିରେ ପୁରି ଉଠୁଥିବା ପରିବାର । ନାତିନାତୁଣୀ ଗହଳି ଚହଳି ଘର ଫାଟି ପଡ଼ୁଥିଲା ।

ହେଲେ ଅଚାନକ୍ ପୁଅ ସମ୍ପୂର୍ଣ୍ଣ ବଦଳିଗଲା । ପୁଅ ଭୁଲିଗଲା ମା’ କୋଳ । ବଳପୂର୍ବକ ଭାବେ ସମ୍ପତି ନିଜ ନାମରେ କରାଇବା ପରେ ପୁଅର ଭିନ୍ନ ରୂପ ଦେଖିବାକୁ ମିଳିଲା । ପୂଅବୋହୁ ମିଶି ଜୀବନ୍ତ ଦେବତାଙ୍କୁ ଖରାପ ବ୍ୟବହାର କରିବା ସହ ବାପାମା’ଙ୍କୁ ଏକା କରି ଘର ଛାଡ଼ି ପଳାଇଲେ । ଏପରିକି ଘର ଛପର ମଧ୍ୟ ଘରୁ କାଢ଼ିନେଲା ପୁଅ । ଘରର ଗୋଟି ଗୋଟି ଆସବାବାପତ୍ର ନିଜ ନୂଆ ଘରକୁ ବୋହିନେଲା ପୁଅ । ସାହାରା ଦେବା ବଦଳରେ ଏକୋଇରା ବଳା ବିଶିକେସନ ଶେଷ ସମୟରେ ଛାଡ଼ିଦେଲା ହାତ ।

ପୁଅ ବୋହୁ ଯିବାପାରେ ଘର ଏବେ ମାଡ଼ି ମାଡ଼ି ପଡ଼ୁଛି । ବାଦ୍ଧ୍ୟର୍କ ସାଙ୍ଗକୁ ନିସଙ୍ଗତା । ବୃଦ୍ଧ ଦମ୍ପତିଙ୍କୁ ଖାଇ ଗୋଡ଼ାଉଛି । ଖାଇବା ଗଣ୍ଡିଏ ପାଇଁ ଦ୍ୱାରା ଦ୍ୱାରା ବୁଲି ମାଗିଯାଚି ଚଳୁଛନ୍ତି । ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ଜଣାଇଛନ୍ତି । ପ୍ରତିଶ୍ରୁତି ମିଳିଥିଲେ ହେଁ ଏଯାଏଁ କୌଣସି ସହାୟତା ମିଳିନାହିଁ । ପ୍ରଶାସନ ପକ୍ଷରୁ ବୃଦ୍ଧି ଦମ୍ପତିଙ୍କୁ ସହାୟତା ମିଳୁ ବୋଲି ସାଧାରଣରେ ଦାବି ହେଉଛି ।