ଶେଷରେ ପାକ୍ ମନ୍ତ୍ରୀ ବି ମାନିଲେ, ସାରା ବିଶ୍ୱରେ ପାକିସ୍ତାନ ଅପେକ୍ଷା ଭାରତର ଦବଦବା ଅଧିକ 

4,776
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ମାମଲାରେ ଅଯଥା ମୁଣ୍ଡ ପୁରାଇ ଏବେ ଏକଘରକିଆ ପାକିସ୍ତାନ । ଇମ୍ରାନ ସରକାର ବାରମ୍ବାର ଭାରତ ବିରୋଧୀ ଷଡ଼ଯନ୍ତ୍ର ଜାରି କରିଛନ୍ତି, ହେଲେ ସାରା ବିଶ୍ୱରେ ଭାରତର ଦବଦବାକୁ ସ୍ୱୀକାର କରିଛନ୍ତି ପାକ୍ ମନ୍ତ୍ରୀ । ବିଶ୍ୱ ସମୁଦାୟରେ ପାକିସ୍ତାନର ଯୁକ୍ତି ଶୁଣିବାକୁ ସମେସ୍ତ  ଅମଙ୍ଗ । ଦୁନିଆ ଆମ କଥା ନୁହଁ, ଭାରତ କଥାକୁ ଗ୍ରହଣ କରିଥାଏ । କାଶ୍ମୀରକୁ ନେଇ ଏଭଳି କିଛି ବୟାନ୍ ରଖିଛନ୍ତି ପାକିସ୍ତାନର ଗୃହମନ୍ତ୍ରୀ ବ୍ରିଗେଡିୟର ଏଜାଜ୍ ଅହମ୍ମଦ ।  ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଆଲୋଚନା ବେଳେ ଏଜାଜ୍ ଅହମ୍ମଦଙ୍କ ଏହି ବୟାନ୍ ଏବେ କାଶ୍ମୀରକୁ ନେଇ ବିଶ୍ୱ ମଂଚରେ ବାରମ୍ୱାର ମିଛ ଅପପ୍ରଚାର ଚଳାଇଥିବା ପାକିସ୍ତାନର ପୋଲ୍ ଖୋଲି ଦେଇଛି ।
ଖୋଦ୍ ପାକିସ୍ତାନର ମନ୍ତ୍ରୀ ଏଜାଜ୍ ଅହମ୍ମଦ ଏକ ଟିଭି ଆଲୋଚନାରେ କହିଛନ୍ତି, ପାକିସ୍ତାନ ବାରମ୍ୱାର କହି ଆସୁଛି ଭାରତ ଜାମ୍ମୁକାଶ୍ମୀରରେ କର୍ଫ୍ୟୁ ଲଗାଇଛି । ଲୋକଙ୍କୁ ନିର୍ଯାତନା ଦିଆଯାଉଛି । ହେଲେ ପାକିସ୍ତାନର ଏହି କଥାକୁ ବିଶ୍ୱ ଗ୍ରହଣ କରୁନିି । ପାକିସ୍ତାନ କଥାକୁ ଯିଏ ବି ଶୁଣୁଛି ବିଶ୍ୱାସ କରୁନି । କାଶ୍ମୀର ପ୍ରସଙ୍ଗକୁ ନେଇ ପୁରା ବିଶ୍ୱ ଭାରତ କଥାକୁ ଗ୍ରହଣ କରୁଛି । କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଏକ ଘରିକିଆ ହୋଇଯାଇଥିବା ବେଳେ , ପାକ୍ ମନ୍ତ୍ରୀ ଏଜାଜ୍ ଅହମ୍ମଦଙ୍କ ଏଭଳି ବୟାନ୍ , ପାକିସ୍ତାନରେ ଇମ୍ରାନଙ୍କ ପ୍ରତି କାଶ୍ମୀର ପ୍ରସଙ୍ଗରେ ରହିଥିବା ସମର୍ଥନର ବି ମୁଖା ଖୋଲିଦେଇଛି । ସିଧାସଳଖ କହିବାକୁ ଗଲେ ଇମ୍ରାନ୍ ଖାନଙ୍କୁ ତାଙ୍କ ମନ୍ତ୍ରୀ ବି ସମର୍ଥନ ଦେଉନାହାନ୍ତି ।
ଏହାସହ ଟିଭି ଆଲୋଚନାରେ ଏଜାଜ୍ ଅହମ୍ମଦ କହିଛନ୍ତି, କାଶ୍ମୀର ସମସ୍ୟା ପାଇଁ ଜେନେରାଲ୍ ଜିଆ ଉଲହକ୍, ପରଭେଜ ମୁସାରଙ୍କ ଠାରୁ ଆରମ୍ଭ କରି ଇମ୍ରାନ୍ ଖାନଙ୍କ ଯାଏ ଯିଏ ବି କ୍ଷମତାରେ ରହିଛି ସିଏ ଦାୟୀ । କେବଳ ଏତିକି  ନୁହଁ ଏଜାଜ୍ କହିଛନ୍ତି ଇମ୍ରାନ୍ ଖାନ୍ ମୋଷ୍ଟୱାଂଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦକୁ ସାହେବ କହୁଛନ୍ତି । କେବଳ ଲଢେଇ ପାଇଁ ପାକିସ୍ତାନରେ ହାଫିଜକୁ ଠିଆ କରାଯାଇଛି । କିନ୍ତୁ ତାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ବୋଲି କହିଛନ୍ତି ଏଜାଜ୍ ଅହମ୍ମଦ ।
ଗୋଟିଏ ପଟେ ମିଳିତ ଜାତିସଂଘରେ ପାକିସ୍ତାନ , କାଶ୍ମୀରରେ ମାନବାଧିକାର ଉଲଂଘନ ଅଭିଯୋଗ ଉଠାଇ ବଡ ଝଟକା ଖାଇଛି । ଏହା ପରେ ପରେ  ପାକିସ୍ତାନ ଗୃହମନ୍ତ୍ରୀଙ୍କ ଏହି ବୟାନ୍ ଆସିଛି । ବୟାନରେ ଏଜାଜ୍ କହିଛନ୍ତି ପାକିସ୍ତାନ ଯେଉଁଠି ବି କାଶ୍ମୀରକୁ ନେଇ ଅଭିଯୋଗ ଆଣିଛି, ଭାରତ ଠୋସ୍ ପ୍ରମାଣ ସହିତ ଏହାର ଜବାବ୍ ଦେଇଛି । ଏମିତିରେ ମିଳିତ ଜାତିସଂଘ ମାନବାଧିକାର କମିଶନ ବୈଠକ ପରେ ପାକ୍ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀଙ୍କ ପାଟିରୁ ବି ବାହାରିଥିଲା ଭାରତୀୟ ରାଜ୍ୟ ଜାମ୍ମୁକାଶ୍ମୀର । ଯାହା ସତକୁ ପଦାକୁ ଆଣିଥିଲା । ଏବେ ପାକ୍ ଗୃହମନ୍ତ୍ରୀଙ୍କ ବୟାନ ପାକିସ୍ତାନର ମୁଖାକୁ ଆଉ ଟିକିଏ ଖୋଲି ଦେଇଛି ।