ଆଉ ଏକ ଭାରତ ବିରୋଧୀ ଚାଲ୍ : ଏଲଓସି ନିକଟରେ ୨୦୦୦ ସେନା ମୁତୟନ କଲା ପାକିସ୍ତାନ, ସତର୍କ ଭାରତୀୟ ସେନା

712

କନକ ବ୍ୟୁରୋ : ଭାରତ ବିରୋଧରେ ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର । ଏଲଓସିରେ ନିକଟରେ ଆଉ ଏକ ସେନା ବ୍ରିଗେଡ଼୍ ମୁତୟନ କଲା ପାକିସ୍ତାନ । ପାକିସ୍ତାନ ଅଧିକୃତ କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନର ଆଉ ଏକ ବ୍ରିଗେଡ଼ ମୁତୟନ ହୋଇଛନ୍ତି । ଏହି ବ୍ରିଗେଡ଼ରେ ୨୦୦୦ରୁ ଅଧିକ ସୈନିକ ଅଛନ୍ତି । ପାକିସ୍ତାନ, ସେନା ବ୍ରିଗେଡ଼ ସାହାଯ୍ୟରେ ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପ୍ରବେଶ କରାଇବାକୁ ଚେଷ୍ଟା କରିପାରେ । ତେବେ ସୀମାରେ ପାକିସ୍ତାନର ଷଡ଼ଯନ୍ତ୍ରକୁ କଡ଼ା ଯବାବ ଦେବାକୁ ସେନା ତଥା ସୁରକ୍ଷା ଏଜେନ୍ସି ଗୁଡ଼ିକ ଆଲର୍ଟ ଅଛନ୍ତି ।

ସୁଧୁରୁନି ପାକିସ୍ତାନ । ଭାରତରେ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଲଗାତାର ଉଦ୍ୟମ ଜାରି ରଖିଛି । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ପଡୋଶୀ ଦେଶ ଏଲଓସିରେ ୧୦୦ ଜଣ ଯବାନ ମୁତୟନ କରିଥିଲା । ଏଥିରୁ ସ୍ପଷ୍ଟ ହେଉଛି ଭାରତ ବିରୋଧରେ କିଛି ବଡ଼ ଧରଣର ଷଡ଼ଯନ୍ତ୍ର କରୁଛି ପାକିସ୍ତାନ । ସୀମାରେ ମୁତୟନ ସେନା ବ୍ରିଗେଡ଼ ଭାରତରେ ଅନୁପ୍ରବେଶ ଉଦ୍ୟମ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିପାରନ୍ତି ବୋଲି ଗୁପ୍ତ ସୂଚନା ମିଳିଛି ।

ତେବେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ପାକିସ୍ତାନ ବାରମ୍ବାର ସୀମାରେ ପାକିସ୍ତାନ ସମର୍ଥିତ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଚେଷ୍ଟା କରୁଛି । ଯାହାକୁ ଭାରତୀୟ ଯବାନ କଡ଼ା ଜବାବ ଦେଉଛି । ସୂଚନାଯୋଗ୍ୟ ଜାମ୍ମୁ-କାଶ୍ମୀରରୁ ୩୭୦ ଉଠିବା ପରେ ରକ୍ତଚାଉଳ ଚୋବାଉଛି ପାକିସ୍ତାନ । ଏପରିକି ଭାରତକୁ ପରମାଣୁ ଧମକ ମଧ୍ୟ ଦେଇ ସାରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।