ଅନନ୍ୟ ପର୍ଯ୍ୟଟନସ୍ଥଳୀ ପକଡ଼ାଝର : ବିମୋହିତ କରୁଛି କୋହଲା ପବନ ସାଙ୍ଗକୁ ଝରଣାର ସୁଁ ସୁଁ ଶଦ୍ଦ, ହେଲେ ସଫେଇ ହେଉନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ପର୍ଯ୍ୟଟକ

185

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା । ଶୀତ ଆସିଲେ ନିରୋଳା ସ୍ଥାନରେ କିଛି ସମୟ ବିତାଇବାକୁ ଜିଲ୍ଲାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ବର୍ତ୍ତମାନ ପିକନିକ୍ ଋତୁ ଆସିଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ମନୋରମ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ପକଡ଼ାଝର ଜଳପ୍ରପାତ ଅନ୍ୟତମ । ଜଳପ୍ରପାତର କୁଳୁକୁଳୁ ନାଦ ସାଙ୍ଗକୁ ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କୁ ବିମୋହିତ କରଛି । ହଜାର ହଜାର ଲୋକ ଆସି ଏଠାରେ ସମୟ ବିତାଇବାକୁ ଭଲ ପାଉଥିଲେ ହେଁ ପ୍ରଶାସନର ଅବହେଳା ଯୋଗୁଁ ଦୃଷ୍ଟି ଆଢ଼ୁଆଳରେ ପକଡ଼ାଝର ।

କନ୍ଧମାଳ ଖଜୂରୀପଡ଼ା ବ୍ଲକ୍ ସୁଡ଼ୃକୁମ୍ପା ପଞ୍ଚାୟତରେ ଅବସ୍ଥିତ ପକଡ଼ାଝର ଜଳପ୍ରପାତ । ଘଞ୍ଚ ସବୁଜ ବନାନୀ ସାଙ୍ଗକୁ ଜଳପ୍ରପାତର ଘୋ ଘୋ ଶବ୍ଦ, ମନକୁ ପ୍ରଫୁଲିଲିତ କରୁଛି । ଉପରୁ ପଡ଼ୁଥିବା ଶୀର୍ଷ ଜଳଧାର ଅସମତଳ ଚଟାଣ ଉପରେ ପଡ଼ି ଘନଗର୍ଜନ ସହ ଧୂଷର ପରିବେଶ ସୃଷ୍ଟି କରୁଛି । କୋହଲା ପବନ ଆଉ ଝରଣାର ଗୁଣୁ ଗୁଣୁ ଶବ୍ଦ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି । ଦେଖନ୍ତୁ କିପରି ପକଡ଼ାଝର ପାଣିରେ ଗାଧୋଇ ମନର ତୃଷା ମେଣ୍ଟାଉଛନ୍ତି ପର୍ଯ୍ୟଟକ । ଜଳପ୍ରପାତ ନିକଟରେ କିଏ ସେଲ୍ଫି ନେଉଛି ତ, ଆଉ କିଏ ବୁଲାବୁଲି କରୁଛି । ପୁଣି ଆଉ କିଏ ପ୍ରାକୃତିକ ପରିବଶେରେ ବଣଭୋଜିର ମଜା ନେଉଛନ୍ତି ।

ବଣପାହାଡ଼ ଘେରା ଜଳପ୍ରପାତରେ ନଭେମ୍ବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଭିଡ଼ ଜମେ । ବନବିଭାଗ ଜଳପ୍ରପାତ ନିକଟରେ ଟୋଲଗେଟ୍ ଲଗାଇ ଗାଡ଼ି ପିଛା ୧୦୦ ଟଙ୍କା ଜଣଙ୍କୁ ପାଞ୍ଚ ଟଙ୍କା ଆଦାୟ କରୁଛନ୍ତି । ତଥାପି ରକ୍ଷଣାବେକ୍ଷଣ ଅଭାବରୁ ବଣବୁଦା ହୋଇପଡ଼ିଛି ପକଡ଼ାଝର । ସଫେଇ ଅଭାବରୁ ଚାରିପଟେ ଜରି ମାଳ ମାଳ ପଡ଼ିରହିଛି । ବିଜୁଳି ସଂଯୋଗ ନାହିଁ କି ମହିଳା ମାନଙ୍କ ପାଇଁ ଶୌଚାଳୟର ଅଭାବ ରହିଛି ବୋଲି ଅଭିଯୋଗ ହେଉଛି । ସରକାର ଏଥିପ୍ରତି ଦୃଷ୍ଟିଦେଲେ ପକଡ଼ାଝର ଆହୁରି ମନୋରମ ହୋଇପାରନ୍ତା ବୋଲି ପର୍ଯ୍ୟଟକ ମତ ଦେଇଛନ୍ତି ।