ଏଣିକି ଆଉ ଅଟୋରେ ଯିବେନି ସ୍କୁଲ ପିଲା : ନିର୍ଦ୍ଦେଶ ନମାନିଲେ ବ୍ୟାନ ହେବ ସ୍କୁଲ, ଆଇନ୍ ଉଲ୍ଲଂଘନ କଡ଼ା କାର୍ଯ୍ୟାନୁଷ୍ଠାନ

4,557

କନକ ବ୍ୟୁରୋ : ଏଣିକି ଆଉ ଅଟୋରେ ଯିବେନି ସ୍କୁଲ ପିଲା । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶନାମା ଦେବେ । ନିର୍ଦ୍ଦେଶ ଅମାନ୍ୟ କରି ସ୍କୁଲ ପିଲାଙ୍କୁ ଅଟୋରେ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଟୋରେ ପିଲାମାନେ ଯିବାଆସିବା କରିବା ଠିକ୍ ନୁହେଁ । ନିମୟ ମାନୁନଥିବା ସ୍କୁଲ ଗୁଡ଼ିକୁ ବ୍ୟାନ୍ କରାଯିବ । ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବସରେ ଯିବାଆସିବା କରିବେ ଛାତ୍ରଛାତ୍ରୀ । ଓଭରଲୋଡ଼ିଂ ପାଇଁ ଗତକାଲି ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ପଡ଼ି ଛାତ୍ର ମୁତ୍ୟୁ ପରେ ଏପରି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ  ।

ନିୟମିତ ବ୍ୟବଧାନରେ ସ୍କୁଲ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି । କେତେବେଳେ ଅଟୋ ଓଲଟି ଯାଉଛି ତ କେତେବେଳେ ପିଲା ଯାଉଥିବା ଗାଡ଼ି ଦୁର୍ଘଟଣାର ଶିକାର ହେଉଛି । ଏପରିକି ସ୍କୁଲ ଛାତ୍ରଛାତ୍ରୀ ଅଟୋ ଓ ଭ୍ୟାନରେ ଲଦାଲଦି ହୋଇ ବିପଜ୍ଜନକ ଅବସ୍ଥାରେ ସ୍କୁଲ ଯାଉଥିବାରୁ କେତେବେଳେ କିଏ ଗାଡ଼ିରୁ ଖସି ପଡ଼ୁଛି ତ କେତେବେଳେ ଅତିକ୍ରମ କରୁଥିବା ଗାଡ଼ିରେ ଘଷି ହୋଇ ପିଲା ଆହତ ହେଉଛନ୍ତି । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କର ଏତିପ୍ରତି ନିଘା ନାହିଁ । ପ୍ରତିଦିନ ହଜାର ହଜାର ପିଲା ବିପଜ୍ଜନକ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି ।

ତେବେ ଗତକାଲିର ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ଓଭରଲୋଡ଼ିଂ ଯୋଗୁଁ ବ୍ରହ୍ମପୁର ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋରୁ ଖସିପଡ଼ି ୫ ବର୍ଷର ଛାତ୍ର ଅଜୟ ପ୍ରାଣ ହରାଇଛନ୍ତି । ଅଜୟ ସ୍କୁଲ ଅଟୋରେ ବସି ଦିଗପହଣ୍ଡି ସ୍ଥିତ ଏକ ଘରୋଇ ସ୍କୁଲକୁ ଯାଉଥିବା ବେଳେ ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋ ଚାଳକ ହଠାତ ବ୍ରେକ୍ ମାରି ଦେଇଥିଲେ । ଫଳରେ ଭାରସାମ୍ୟ ହରାଇ ଅଜୟ ଅଟୋରୁ ଛିଟିକି ରାସ୍ତାରେ ପଡ଼ି ଯାଇଥିଲେ । ମୁଣ୍ଡରେ ଆଘାତ ଲାଗି ଘଟଣାସ୍ତଳରେ ପ୍ରାଣହରାଇଥିଲେ ଅଜୟ ।  ଅଜୟଙ୍କ ମୃତ୍ୟୁ ପରେ ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ମନ୍ତ୍ରୀ ।