ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ! କୃଷିକ୍ଷେତ୍ରରେ କମଳା ପୂଜାରୀ ଓ ସମାଜସେବା ପାଇଁ ଦୈତାରୀ ନାୟକ ଓ ଡି ପ୍ରକାଶ ରାଓଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

381

କନକ ବ୍ୟୁରୋ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଆଜି ୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓ । ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ୱ ପାଇଁ କମଳା ଦିଲ୍ଲୀରେ ସମ୍ମାନୀତ ହୋଇଛନ୍ତି । ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୈତାରୀ ନାୟକ ଏବଂ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।

ତିନି ପଦ୍ମଶ୍ରୀଙ୍କ କାହାଣୀ . . . .

କମଳା ପୂଜାରୀ : କୋରାପୁଟର ଆଦିବାସୀ ମହିଳା କମଳା ପୂଜାରୀ। ଜଣେ ଆଦିବାସୀ ଅଶିକ୍ଷିତ ମହିଳା ହୋଇଥିଲେ ହେଁ, ଜୈବିକ ପ୍ରଣାଳୀରେ ଚାଷ କରିବା ସହ ୧୦୦ କିସମର ଧାନକୁ ଏଯାବତ ସଂରକ୍ଷିତ ରଖିଛନ୍ତି। ଖାଲି ନିଜେ ନିଜକୁ ଗରିମାମୟ କରିନାହାନ୍ତି, ବରଂ ରାସାୟନିକ ସାରରୁ ଦୂରେଇ ରହି ଜୈବିକ ସାର ବିନିଯୋଗ କରିବା ପାଇଁ ଗାଁ’ର ଲୋକମାନଙ୍କୁ ବୁଝାଇଛନ୍ତି । ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକାର ‘ଇକ୍ବେଟିଭ୍ ଇନିସିଏଟିଭ୍ ସମ୍ମାନ’ ଅର୍ଜନ କରିଛନ୍ତି ।

ଦୈତାରୀ ନାୟକ : କେନ୍ଦୁଝର ଜିଲ୍ଲା ନିପଟ ମଫସଲ ବା˚ଶପାଳ ବ୍ଲକର ଗୋନାସିକା ପଞ୍ଚାୟତର ତଳ ବୈତରଣୀ ଗାଁର ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦୈତାରୀ ନାଏକ  ।ବୈତରଣୀ ଗାଁର ଚାଷ ଜମିକୁ ବର୍ଷ ତମାମ ଜଳ ନିଅଣ୍ଟ ପଡିଥାଏ। ଫଳରେ ବର୍ଷ ତମାମ ଏଠାକାର ଲୋକେ ଜୀବନ ଜୀବିକା ପାଇଁ ସ˚ଘର୍ଷ କରିଥାନ୍ତି । ତେବେ ତଳବୈତରଣୀ ଗାଁର ଆଦିବାସୀ ସ˚ପ୍ରଦାୟର ଦୈତାରୀ ନାଏକଙ୍କୁ ଏହା ଖୁବ୍ ବାଧିଥିଲା। ଫଳରେ ସେ ଗୋନାସିକା ପାହାଡରେ ବହି ଯାଉଥିବା ବୈତରଣୀର ଶାଖା ନଈ ପଥରକଟା ନାଳକୁ କାଟି ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡାଇଥିଲେ  ।

ଡି.ପ୍ରକାଶ ରାଓ : ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ, ୨୧୮ ଥର ରକ୍ତଦାନ କରିଛନ୍ତି ରେକର୍ଡ  ଡି. ପ୍ରକାଶ ରାଓ । ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ହେଉଛନ୍ତି ବଡ ।  ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ଆଶା ଓ ଆଶ୍ୱାସନା ନାମରେ ସ୍କୁଲ କରି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି ।