ସୋନି ନେଟୱର୍କ ଚୋରି ନେଇ ଅରଟେଲ୍ ବିରୋଧରେ ୪୨୦ ଦଫା ଲଗାଇଲା କମିଶନରେଟ୍ ପୁଲିସ୍ : ସୋନି ଅଧିକାରୀ କହିଲେ, ୨୦ କୋଟି ଟଙ୍କାର ପ୍ରସାରଣ କରି ଠକି ଦେଇଛି ଅରଟେଲ

47

କନକ ବ୍ୟୁରୋ : କେବୁଲ ଅପରେଟର ଓରଟେଲ କମ୍ୟୁନିକେସନ ବିରୋଧରେ ଦଫା ୪୨୦ ଅର୍ଥାତ ଠକେଇର ଦଫା ଲଗାଇଛି କମିଶନରେଟ ପୁଲିସ । ସୋନି ନେଟୱର୍କର ସିଗନାଲ ଚୋରୀ ଅଭିଯୋଗରେ, କମିଶନରେଟ ପୁଲିସ ୪୨୦ ସହ ଗୋଟିଏ ଉଦ୍ଦେଶ୍ୟ ରଖି ଏକାଧିକ ଲୋକ ଅପରାଧ କରିଥିବାରୁ ଆଇପିସିର ୩୪ ଧାରା ମଧ୍ୟ ଲଗାଇଛି । ଏଥିସହ କପିରାଇଟ ଆଇନ ବଳରେ ମାମଲା ରୁଜୁ କରି ଅନୁସନ୍ଧାନ କରୁଛି ।

ସୋନି ନେଟୱର୍କର ଏହି ଅଭିଯୋଗ ଓରଟେଲ କମ୍ୟୁନିକେସନକୁ କାଠଗଡାରେ ଠିଆ କରି ଦେଇଛି । ସାଙ୍ଘାତିକ ଅଭିଯୋଗ ଆଣି ସୋନି ନେଟୱର୍କ କହିଛି ଗତ ମାର୍ଚ୍ଚ ମାସରେ ସୋନି ସହ ଓରଟେଲର ଚୁକ୍ତିନାମା ଶେଷ ହୋଇଯାଇଛି । କିନ୍ତୁ ଓରଟେଲ୍ ଏହାର କେବୁଲ ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଟିଭିରେ ସୋନି ନେଟୱର୍କର ସମସ୍ତ ଚ୍ୟାନେଲକୁ ପ୍ରସାରଣ କରି ଚାଲିଛି ।

Ortel

ସୋନି ଟିଭି ପକ୍ଷରୁ ଏଫଆଇଆର ହେବା ପରେ, ଓରଟେଲର ମୁଖ୍ୟ କାର୍ଯ୍ୟାଳୟରେ ସାଇବର ଏକ୍ସପର୍ଟ ମାନଙ୍କୁ ନେଇ ରେଡ୍ କରିଛି କମିଶନରେଟ ପୁଲିସ । ସୋନି ଚ୍ୟାନେଲ ସହ ଚୁକ୍ତିନାମା ସମ୍ବୋଦ୍ଧିତ ସମସ୍ତ ଗରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛି । ଏଥିସହ ସୋନି ଚ୍ୟାନେଲ ଗୁଡିକୁ ପ୍ରସାରଣ ପାଇଁ ବ୍ୟବହାର କରାଯାଉଥିବା ୧୯ଟି ଡିକୋଡିଂ ବକ୍ସକୁ ମଧ୍ୟ ଜବତ କରିଛି । ସିଗନାଲ ଚୋରୀ ନେଇ ସୋନି ନେଟୱର୍କ ୨୦ କୋଟି ଟଙ୍କାର କ୍ଷତି ସହିଛି ବୋଲି ଏହାର ଅଧିକାରୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ସେପଟେ ଓରଟେଲ କହିଛି ମନ୍ଦ ଉଦ୍ଦେଶ୍ୟ ରଖି ପୁଲିସ ପକ୍ଷରୁ ରେଡ୍ କରାଯାଇଛି । କିନ୍ତୁ ସିଗନାଲ ଚୋରି ନେଇ ସୋନିର ଅଭିଯୋଗ ଏବଂ କାହିଁକି ଓ କେଉଁ ପରିସ୍ଥିତିରେ ୨୦ କୋଟି ଟଙ୍କାର ଠକାମି ହୋଇଛି ତାହାର ଉତ୍ତର ଏଯାଏ ମିଳି ପାରିନାହିଁ ।