ସହରକୁ ଅନ୍ଧାର କରିବାକୁ ଷଡ଼ଯନ୍ତ୍ର : ବିଜୁଳି କାଟ୍ ପାଇଁ ଭୁବନେଶ୍ୱର ବରମୁଣ୍ଡା ଇଲେକ୍ଟ୍ରିକାଲ ସବଡିଭିଜନର ଜେଇ ସୁବ୍ରତ ମିଶ୍ରଙ୍କ ଡିଲ୍, ପଇସା ନେଇ ଲାଇନ କାଟିବାକୁ ଅଫର

737

କନକ ବ୍ୟୁରୋ : ଟଙ୍କା ଆଗରେ ବିକ୍ରି ହୋଇଗଲା ବାବୁଙ୍କ ବିବେକ । ସାଧୁତାର ସବୁଠାରୁ ବଡ ପରୀକ୍ଷାରେ ଫେଲ୍ ହୋଇଗଲେ ବାବୁ । ସାଧୁତାର ସହ କାମ କରୁଥିବା ନେଇ ଦ୍ୱାହି ଦେଉଥିବା ଅଧିକାରୀଙ୍କ ପର୍ଦ୍ଦାଫାଶ ହୋଇଛି । ଏପରି ଖବର ଯାହା ଆପଣଙ୍କୁ ଆନ୍ଦୋଳିତ କରିବ, ଭାବିବାକୁ ବାଧ୍ୟ କରିବ । ଉପୁରି କମାଇବାକୁ କିଭଳି ଦୈନନ୍ଦିନ ଜୀବନ ସହ ଚାଲିଛି ଷଡଯନ୍ତ୍ର, ତାର ହୋଇଛି ପର୍ଦ୍ଦାଫାଶ ।

ଭୁବନେଶ୍ୱର ବରମୁଣ୍ଡା ଇଲେକ୍ଟ୍ରିକାଲ ସବଡିଭିଜନର ଜେଇ ସୁବ୍ରତ ମିଶ୍ରଙ୍କ ସହ ଚୂଡାନ୍ତ ହେଲା ଡିଲ । ବରମୁଣ୍ଡାର ଏକ ନିର୍ଦ୍ଦିଷ୍ଟ ଅଂଚଳରେ ବିଜୁଳିର କୃତ୍ରିମ ଅଭାବ ସୃଷ୍ଟି କରିବେ ବିଦ୍ୟୁତ ବିଭାଗ ଅଧିକାରୀ ଜଣକ । ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଇନଭଟର ବିକ୍ରିରେ ସହାୟତା ପାଇଁ ସଂଧ୍ୟାବେଳେ ପିକ ଆୱାରରେ ଅଧଘଂଟା ପାଇଁ ବିଜୁଳି କାଟିଦେବେ ଜେଇ । କେବଳ ଗୋଟିଏ ଦିନ ନୁହେଁ ବାରମ୍ବାର ଏମିତି ଲଗାତର କାଟିଲା ପରେ ଲୋକେ ଅତିଷ୍ଠ ହୋଇ ବିକଳ୍ପ ଖୋଜିବେ । ଆଉ ସେହି ଅଭାବ ପୂରଣ କରିବାକୁ ମାର୍କେଟିଂ ପାଇଁ ପହଂଚିଯିବେ ଇନଭଟର କମ୍ପାନିର କର୍ମଚାରୀ । ଲୋକଙ୍କୁ ହଇରାଣରେ ପକାଇ ନିଜର ଓ ଇନଭଟର କମ୍ପାନିର ଫାଇଦା ପାଇଁ ରାଜି ହୋଇଯାଉଛନ୍ତି ମାସକୁ ଲକ୍ଷାଧିକ ଟଙ୍କାର ଦରମା ନେଉଥିବା ଏହି ଜୁନିୟର ଇଞ୍ଜିନିୟର ଜଣକ ।

ସୁବ୍ରତ ମିଶ୍ର, ଜେଇ, ବରମୁଣ୍ଡା- ହେଲୋ
ସାମ୍ବାଦିକ, – ଭାଇ
ସୁବ୍ରତ ମିଶ୍ର, ଜେଇ, ବରମୁଣ୍ଡା- ହଁ
ସାମ୍ବାଦିକ,- ୭ଟା ୪୦ରୁ ଦିଅନ୍ତୁ ନା.. ଏବେ ଜଷ୍ଟ ଆମେ ଏଇଠି ଅଛୁ
ସୁବ୍ରତ ମିଶ୍ର, ଜେଇ, ବରମୁଣ୍ଡା- ଠିକ ଅଛି
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ମଁ ସେଠି ପହଂଚିକି, ଏକଜାକ୍ଟଲି ପହଂଚିକି ଫୋନ କରୁଛି ଆପଣଙ୍କୁ । ଲୋକେସନ ଟିକେ କୁହନ୍ତୁ ତ, କେଉଁ ଲୋକେସନରେ ରହିବ?

ବିଜୁଳି ବିଭାଗ ଅଫିସରଙ୍କ ହାତରେ ଚାବି । କେତେବେଳେ, କେଉଁଠି ଓ କେତେ ସମୟ ପାଇଁ ଲାଇନ କାଟି ଦିଆଯିବ ତାହା ସ୍ଥିର କରିବେ ବଡବାବୁ । ତାଙ୍କୁ ପଚାରିବାକୁ ବି କେହି ନାହିଁ । ଲୋକେ ଆପତି କଲେ ବାହାନା ହେବ ଫନି ବାତ୍ୟା । ଲୋକେ ଜାଣିଛନ୍ତି ଫୋନି ବାତ୍ୟା ପରେ ବିଦ୍ୟୁତ ବିଭାଗର ବିଶେଷ କ୍ଷୟ କ୍ଷତି ହୋଇଛି । ଆଉ ଯେତେବେଳେ ଲାଇନ କଟିଲା, ମରାମତିକୁ ବାହାନା କରି ଖସି ଯାଉଛନ୍ତି ଏହି ଅସାଧୁ ଅଫିସର । ହେଲେ ଏମିତି ଅଘୋଷିତ ବିଦ୍ୟୁତ କାଟ ପଛର ଅସଲ ଷଡଯନ୍ତ୍ର, ରିୟଲିଟି ଟେଷ୍ଟରୁ ପଦାକୁ ଆସିଛି । ଯାହା ଅତି ସାଂଘାତିକ ।