କନ୍ଦାଉଛି ପିଆଜ ! ୫୦ ଛୁଇଁଲା ପିଆଜ ଦର

191

କନକ ବ୍ୟୁରୋ : ପିଆଜ କାଟିଲେ ଆଖିରୁ ଲୁହ ବାହାରେ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ପିଆଜ ଦାମ ଶୁଣିଲେ ଆପଣାଛାଏଁ ଆଖିରେ ଲୁହ ଝରି ଆସୁଛି । ପୁଣିଥରେ ଖାଉଟିଙ୍କ ଆଖିରେ ଲୁହ ଦେଇଛି ପିଆଜ । ବଜାରରୁ ପିଆଜ କିଣିବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ଗ୍ରାହକ । ଖୁଚୁରା ବଜାରରେ ପିଆଜ ଦର ୫୦ ଟଙ୍କା ଛୁଇଁଛି । ପାଇକାରୀ ଦର ୪୦ ଟଙ୍କା ଟପିଛି । ବିଦେଶକୁ ରପ୍ତାନି ବୃଦ୍ଧି ପାଇଥିବାବେଳେ ରାଜ୍ୟ ରାଜ୍ୟ ଭିତରେ ଆମଦାନି କମିବା କାରଣରୁ ପିଆଜ ଦର ଏଭଳି ଆକାଶଛୁଆଁ ହୋଇଥିବା କୁହାଯାଉଛି । ଏମିତିକି ନିକଟ ଭବିଷ୍ୟତରେ ମଧ୍ୟ ଏହି ଦର ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ପରିସ୍ଥିତି ଏମିତି ଅବସ୍ଥା ଆଡ଼କୁ ଯାଉଛି ଯେ ସରକାର ଚାହିଁଲେ ବି ପିଆଜ ଦର ବୃଦ୍ଧିରେ ଅଙ୍କୁଶ ଲଗାଇବା ସମ୍ଭବ ହେବ ନାହିଁ ବୋଲି ବ୍ୟବସାୟୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁସାରେ ଭୁବନେଶ୍ୱରକୁ ୧୫୦ ଟନ୍ ପିଆଜର ଆବଶ୍ୟକତା ରହିଛି । କିନ୍ତୁ ଏବେ ମାତ୍ର ୮୦ ଟନ୍ ପାଖାପାଖି ମାଲ୍ ଆମଦାନୀ ହେଉଛି । ବଜାର ଦର ବୃଦ୍ଧି ଯୋଗୁଁ ପିଆଜର ଚାହିଦା କମୁଛି ଓ ସେଥିପାଇଁ ଆମଦାନୀ କରୁଥିବା ବ୍ୟବସାୟୀମାନେ ଭୟରେ ମାଲ୍ ଉଠାଉନାହାନ୍ତି । ଫଳରେ କ୍ରମଶଃ ବଜାରରେ ଅଭାବ ପରିଲକ୍ଷିତ ହେଉଛି ଓ ଏହା ଦରବୃଦ୍ଧିକୁ ବାଟ କଢ଼ାଉଛି । କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଂକର ମିଶ୍ରଙ୍କ କହିବା କଥା ନାସିକ୍ ଭଳି ପିଆଜ ଉତ୍ପାଦନ କେନ୍ଦ୍ରମାନଙ୍କରେ ଏବେ ପିଆଜ ଦର ୩୬ ଟଙ୍କାରୁ ୩୮ ଟଙ୍କା ରହିଛି ।

ତେଣୁ ଭୁବନେଶ୍ୱରରେ ମାଲ୍ ପହଞ୍ଚିବାବେଳକୁ ଦର ସ୍ୱତଃ ୪୦ ଟଙ୍କା ଟପୁଛି । ପାଇକାରୀ ଦର ୪୦/୪୨ ଟଙ୍କା ହେବାରୁ ଖୁଚୁରା ବଜାରରେ ବେପାରୀମାନେ ୫୦ ଟଙ୍କାରେ ବିକିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଟିକିଏ ନିମ୍ନମାନର ପିଆଜର ପାଇକାରୀ ଦର ୩୬ରୁ ୩୮ ଟଙ୍କା ରହିଛି ଓ ତାହା ବଜାରରେ ୪୫ ଟଙ୍କାରେ ବିକ୍ରି ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଭାରତର ସବୁଆଡ଼େ ପିଆଜ ଦର ବୃଦ୍ଧି ପାଇଛି । ଏମିତିକି ନାସିକରେ ମଧ୍ୟ ଖୁଚୁରା ଦର ୪୦ ଟଙ୍କା ଉପରେ ରହିଛି । ବରଂ କୋଲକାତା ଦିଲ୍ଲୀ ଭଳି ମେଟ୍ରୋ ସହରରେ ପିଆଜ ଦର ଭୁବନେଶ୍ୱର ଅପେକ୍ଷା ଅଧିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶାରେ ଅମଳ ଋତୁ ଡିସେମ୍ବର ଶେଷଭାଗ ଆଡ଼କୁ ଆରମ୍ଭ ହେବ । ତେଣୁ ସେତେ ଦିନ ପର୍ୟ୍ୟନ୍ତ ପିଆଜ ଖାଉଟିଙ୍କୁ କନ୍ଦାଇବା ।

ବ୍ୟବସାୟୀମାନଙ୍କ କହିବା କଥା ବଣ୍ଟନ ବ୍ୟବସ୍ଥା ପାଇଁ ଆଜି ପିଆଜ ଦର ଏଭଳି ବୃଦ୍ଧି ଘଟିଛି । ରପ୍ତାନି ବୃଦ୍ଧି ଏଥିପାଇଁ ମୂଳ କାରଣ । ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ରପ୍ତାନି ଶୁଳ୍କ ହ୍ରାସ କରି ରପ୍ତାନି ବୃଦ୍ଧି କରାଯିବ ଉଚିତ୍ । କିନ୍ତୁ ଦେଶ ଭିତରର ଚାହିଦା ପ୍ରତି ଆଖୁ ବୁଜି ଦିଆଯିବା ଉଚିତ୍ ନୁହେଁ । କିଛି ବ୍ୟବସାୟୀ ଏଭଳି ପରିସ୍ଥିତି ପାଇଁ ରାଜନୈତିକ ଅଭିସନ୍ଧି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ଗୁଜୁରାଟ ନିର୍ବାଚନକୁ ବି ପିଆଜ ଦର ବୃଦ୍ଧି ପାଇଁ ଦାୟୀ କରାଯାଉଛି । ନିର୍ବାଚନ ପରେ ହୁଏତ ଏଥିରେ କିଛି ପରିମାଣରେ ଉପଶମ ମିଳି ପାରେ ବୋଲି ସେମାନେ ମତ ରଖିଛନ୍ତି ।