ଆଗକୁ ଆହୁରି ବଢିପାରେ ଆଳୁ ଓ ପିଆଜ ଦର : ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଯୋଗୁଁ ଯୋଗାଣ ବ୍ୟାହାତ

1,137

କନକ ବ୍ୟୁରୋ : ଆହୁରି ବଢିବ ପିଆଜ ଓ ଆଳୁ ଦର । ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଂଗରେ ଟ୍ରକ ଧର୍ମଘଟ ଯାଗୁଁ ଏବେ ଓଡିଶା ବଜାରରେ ଆଳୁ , ପିଆଜର ଦର ବୃଦ୍ଧି ଘଟିଛି । ପିଆଜ ଦର ଅଚାନକ ୩୦ ଟଙ୍କା ଛୁଇଁଥିବା ବେଳେ ଆଳୁଦର ୧୫ ଟଙ୍କାରେ ପହଚିଂଛି । ଆଗକୁ ଏହି ଦର ଆହୁରି ବଢିପାରେ । ତେଣୁ ରାଜ୍ୟ ଖାଉଟି ବିଭାଗ ସତର୍କ ନରହିଲେ, ଏହି ଦରବୃଦ୍ଧି ଖାଉଟିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

ବଜାରରେ ପିଆଜ ଦର ହଠାତ୍ ୩୦ ଛୁଇଁଛି । ସପ୍ତାହ ମଧ୍ୟରେ ସାତ ଟଙ୍କା ବଢିଲାଣି । ଗତମାସରେ ଓଡିଶା ବଜାରରେ ପିଆଜର ପାଇକାରୀ ଦର କିଲୋଗ୍ରାମ ପିଛା ୧୨ ଟଙ୍କା ଥିଲା । ତେଣୁ ଖୁଚୁରା ବଜାରରେ କିଲୋ ୧୫ଟଙ୍କାରେ ବିକ୍ରି ହେଉଥିଲା । ଗତ ସପ୍ତାହରେ ଏହା ୨୦ରୁ ୨୨ ଟଙ୍କାରେ ପହଁଚିଗଲା । ଆଉ ଏବେ ପିଆଜ କିଲୋକୁ ୩୦ ଟଙ୍କା ।

ଦେଶରେ ସର୍ବାଧିକ ପିଆଜ ଉତ୍ପାଦନ ହେଉଥିବା ନାସିକରେ ଏବେ ବନ୍ୟା ପରିସ୍ଥିତି । ବର୍ତ୍ତମାନ ସେଠାରେ ପିଆଜ ଦର ୨୦ରୁ ୨୧ ଟଙ୍କା ରହିଛି । ଓଡିଶା ଆଣିବା ପାଇଁ ଖର୍ଚ୍ଚ ହେଉଛି ୪ରୁ ୫ଟଙ୍କା । ବ୍ୟବସାୟୀ ଆଉ ୪-୫ ଟଙ୍କା ଲାଭ ରଖି ୩୦ ଟଙ୍କାରେ ବିକ୍ରି କରୁଛନ୍ତି । ସେପଟେ ପଶ୍ଚିମବଙ୍ଗରେ ଟ୍ରକ୍ ଧର୍ମଘଟ ଯୋଗୁଁ ଆଳୁ ଆମଦାନୀ ହ୍ରାସ ପାଇଛି । ଫଳରେ ଓଡିଶା ବଜାରରେ ଆଳୁ ଦରରେ ବୃଦ୍ଧି ଦେଖାଦେଇଛି । ତିନି ଦିନ ଭିତରେ କିଲୋ ପିଛା ତିନି ଟଙ୍କା ବଢିଛି ଆଳୁ ।

ଆଗକୁ ଆଳୁ-ପିଆଜ ଦର ଆହୁରି ବଢିବା ନେଇ ଅନୁମାନ କରାଯାଉଛି । କାରଣ, ଗୋଟିଏ ପଟେ ଉତ୍ପାଦନ କମିଛି ଏବଂ ଅନ୍ୟପଟେ ଏହାର ଫାଇଦା ନେଇ ଅସାଧୁ ବ୍ୟବସାୟୀ ବେଆଇନ୍ ଭାବେ ଆଳୁ-ପିଆଜ ଗଛିତ ରଖିବା ଆଶଙ୍କା ରହିଛି । ଆଉ, ଏଭଳି ହେଲେ , ଆଳୁ-ପିଆଜର ମହଙ୍ଗା ମାଡରେ ଖାଉଟି ହନ୍ତସନ୍ତ ହେବା ନିଶ୍ଚିତ ।