ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ୧୦ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ, ହିନ୍ଦି ଓ ଖେଳ ଶିକ୍ଷକଙ୍କ ଭରସାରେ ସ୍କୁଲ

551

କନକ ବ୍ୟୁରୋ : ଶିକ୍ଷାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା କରିଚାଲିଛନ୍ତି । ବିରାଟ ଅଟ୍ଟାଳିକା ସହିତ ସଭିଁଏ ପଢନ୍ତୁ ସଭିଁଏ ବଢନ୍ତୁ ନାଁରେ ମଧ୍ୟାହ୍ନ ଭୋଜନ, ଡ୍ରେସ, ବୃତ୍ତି ଦେବା ସହିତ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଶିକ୍ଷକଙ୍କ ଅଭାବ ଯୋଗୁଁ ଶିକ୍ଷା କ୍ଷେତ୍ରରେ ସେଭଳି କିଛି ବିକାଶ କାହିଁ ଦେଖିବାକୁ ମିଳୁନାହିଁ । ଯାହାର ଏକ ଉଦାହରଣ ହେଉଛି, କେନ୍ଦ୍ରାପଡା ଶ୍ରୀରାମପୁର ରାମଚଣ୍ଡି ଉଚ ବିଦ୍ୟାଳୟ ।

ହିନ୍ଦି ଓ ଖେଳ ଶିକ୍ଷକଙ୍କ ଭରସାରେ ସ୍କୁଲ । ୧୦ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ । ଏମତି ଏକ ସ୍କୁଲ ରହିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ । ୧୯୭୯ ମସିହାରୁ ସ୍ଥାପିତ ହୋଇଛି ପଟାମୁଣ୍ଡାଇ ଶ୍ରୀରାମପୁର ରାମଚଣ୍ଡି ଉଚ୍ଚ ବିଦ୍ୟାଳୟ । ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ସ୍କୁଲ ଘର ଅଛି ପିଲା ବି ଅଛନ୍ତି ହେଲେ ପଢାଇବାକୁ ଶିକ୍ଷକ ନାହାନ୍ତି । କେବଳ ଖେଳ ଶିକ୍ଷକଙ୍କୁ ଛାଡି ଦେଲେ ଏଠାରେ ଗଣିତ, ବିଜ୍ଞାନ, ସଂସ୍କୃତ ଓ ଅନ୍ୟ ବିଭାଗରେ ଶିକ୍ଷକଙ୍କ ପଦବୀ ଖାଲି ପଡିଛି । ମାସେ-ଦୁଇ ମାସ ନୁହେଁ, ଦୀର୍ଘ ଚାରି ବର୍ଷ ହେବ ଜଣେ ମାତ୍ର ହିନ୍ଦି ଶିକ୍ଷକ ଏବଂ ଖେଳ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି ।

୨୦୧୬ ମସିହାରେ ଜଣେ ପ୍ରଧାନ ଶିକ୍ଷକ ଅବସର ନେବା ପରେ ବିଦ୍ୟାଳୟର ହିନ୍ଦି ଶିକ୍ଷକ ସଚିକାନ୍ତ ଦାସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାଇତ୍ୱ ନେଇଛନ୍ତି । ହେଲେ ହିନ୍ଦି ଶିକ୍ଷକ ଚଳିତ ମାସ ଅବସର ନେବା ପରେ ସ୍କୁଲର ଖେଳ ଶିକ୍ଷକ ସ୍କୁଲ ଅଫିସ କାମ କରିବେ ନା ପାଠ ପଢାଇବେ ତାକୁ ନେଇ ସେ ବି ଚିନ୍ତାରେ ପଡିଛନ୍ତି । ସ୍କୁଲର ଏଭଳି ଅବସ୍ଥା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଗେଷ୍ଟ ଶିକ୍ଷକ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଠିକ୍ ଭାବେ ଦରମା ମିଳୁନଥିବାରୁ ସେମାନେ ସବୁ ଦିନ ଆସୁନଥିବା ଅଭିଯୋଗ ହୋଇଛି । ସେପଟେ ଏଭଳି ବିଚିତ୍ର ସ୍କୁଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ୨୦୧୯-୨୦ ଶିକ୍ଷା ବର୍ଷର ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ପାଠପଢା ହୋଇପାରିନଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ ପଡିଥିବା ବେଳେ ଖୁବଶୀଘ୍ର ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି ।