ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ : ଯେକୌଣସି କେନ୍ଦ୍ରରୁ ରାସନ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ, ଭୁବନେଶ୍ୱରରୁ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ

3,649

କନକ ବ୍ୟୁରୋ : ରାସନ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । ଦେଶର ସବୁ ଅଞ୍ଚଳରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ । ଖୁବ୍ ଶୀଘ୍ର ସାରା ଦେଶରେ ଲାଗୁ ହେବାକୁ ଯାଉଛି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ । ଏହି ବ୍ୟବସ୍ଥା ଲାଗୁ ହେଲେ ଏଣିକି ସବୁଠି ଚଳିବ ରାସନ କାର୍ଡ । ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ହିତାଧିକାରୀ ସାମ୍ରଗୀ ଉଠାଇପାରିବେ । ସେପଟେମ୍ବର ୧ରୁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ସବୁ ଜାଗାକୁ ସ୍ଥାନାନ୍ତର ହେବ । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣନ୍ଦ୍ରେ ପ୍ରତାପ ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ସରକାର ମଧ୍ୟ ଏକ ଦେଶ ଏକ ରାସନ କାର୍ଡ଼ ଦିଗରେ କାମ କରୁଛନ୍ତି । ଏହି ନୀତି ଆସିବା ପରେ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଟିଏ ରାସନ କାର୍ଡ଼ ବ୍ୟବହାର କରି ରାସନ ସାମଗ୍ରୀ ପାଇପାରିବେ ହିତାଧିକାରୀ । ଜଣେ ରାସନ କାର୍ଡ଼ଧାରୀଙ୍କୁ ଗୋଟିଏ ରାସନ ଦୋକାନରେ ବନ୍ଧକ ହୋଇ ରହିବାକୁ ପଡ଼ିବ ନାହିଁ । ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ । ଏହାସହ ରାସନ କାର୍ଡ଼ ଧୋକ୍କାଦାରୀରୁ ମଧ୍ୟ ରକ୍ଷା ମିଳିବ ।

ପୂର୍ବରୁ କ’ଣ ଥିଲା ରାସନ କାର୍ଡ଼ ବ୍ୟବସ୍ଥା ?

– ରାସନ କାର୍ଡ ହିତାଧିକାରୀ ନିର୍ଦ୍ଧିଷ୍ଟ କଂଟ୍ରୋଲ ଦୋକାନରୁ ରାସନ ସାମଗ୍ରୀ ଉଠାଇଥାନ୍ତି ।
–  ସ୍ଥାନୀୟ ଡିଲର, ଗ୍ରାମ ପଂଚାୟତ, ସୋସାଇଟି କିମ୍ବା ସ୍ୱୟଂସହାୟିକା ଗୋଷ୍ଠି କଂଟ୍ରୋଲ ସାମଗ୍ରୀ ବିକ୍ରି କରନ୍ତି ।
–  ପ୍ରତ୍ୟକ ହିତାଧିକାରୀକୁ ମୁଣ୍ଡପିଛା ୫ କେଜି ଖାଦ୍ୟ ସାମଗ୍ରୀ ମିଳୁଛି
–  ରାସନ କାର୍ଡ ପିଛା କିରୋସିନ୍ ମିଳୁଛି
– ପ୍ରାକୃତିକ ଦୁର୍ବିପାକ ସମୟରେ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳିଥାଏ
–  କାର୍ଡ ଥିବା ଅଂଚଳରୁ ବାହାରକୁ ଗଲେ ଏହି କାର୍ଡରେ କିଛି ମିଳେ ନାହିଁ ।

 

ନୂଆ ବ୍ୟବସ୍ଥା ଲାଗୁହେବା ପରେ ସାରା ଦେଶରେ ଗୋଟିଏ ରାସନ କାର୍ଡ଼ ବ୍ୟବହାର କରାଯିବ ।  ଗରିବ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବେନି । ହିତାଧିକାରୀ ଉପକୃତ ହେବାସହ ନକଲି ରାସନ କାର୍ଡ଼ ତିଆରି କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇ ପାରିବ ।