ପୁଣି ନୂଆପଡାର ହଳଦୀ ଗାଁରେ ବାଘ ଆତଙ୍କ ! କଲରାପତିଆ ମୁହଁରୁ ବଂଚିଗଲେ ଦୁଇ ଶିଶୁ

51

କନକ ବ୍ୟୁରୋ : ନୂଆପଡା ହଳଦୀ ଗାଁରେ ଚାରି ବର୍ଷର ଶିଶୁକୁ ମା’ କୋଳରୁ ଟେକି ନେଇ ବାଘ ଖାଇଦେବା ଘଟଣା ମନରୁ ଲିଭିନାହିଁ । ଏତିକି ବେଳେ ସାମନାକୁ ଆସିଛି ପୁଣି ଏମିତି ଏକ ଘଟଣା । ତେବେ ଏଥର ବାଘ ମୁହଁରୁ ଅଳ୍ପକେ ବଂଚି ଯାଇଛନ୍ତି ଦୁଇ ଶିଶୁ । ପୁଣି ସେହି ହଳଦୀ ଗାଁରେ ଘଟିଛି ଏଭଳି ଘଟଣା । ଗତକାଲି ରାତି ସାଢେ ୧୦ଟା ବେଳେ ଗାଁର ଟିଙ୍କୁ ଚେଳକଙ୍କ ଘରେ ପଶିଥିଲା ବାଘ । ଆଉ ଘର ଅଗଣାରେ ଶୋଇଥିଲେ ଟିଙ୍କୁଙ୍କ ଦୁଇ ଶିଶୁ । ତେବେ ବାଘକୁ ଦେଖି ତାଙ୍କ କୁକୁର ଜୋରରେ ଭୁକିଥିଲା ।

ଆଉ ଘର ଲୋକେ ଉଠି ପଡି ଶିଶୁଙ୍କ ପାଖରେ ବାଘକୁ ଦେଖି ଭୟଭୀତ ହୋଇଯାଇଥିଲେ । ତେବେ ସାହସ ସଂଚୟ କରି ବାଘକୁ ଘଉଡାଇବାରୁ ବାଘ ମୁହଁରୁ ବଂଚି ଯାଇଥିଲେ ଦୁଇ ଶିଶୁ । ହଳଦୀ ଗାଁରେ ଗତ ମେ ୨୬ ତାରିଖରେ ମାଆ କୋଳରୁ ଛୁଆକୁ ବାଘ ଟେକିନେବା ପରେ ଜୁଲାଇ ୧୦ରେ ଆଈ ନାତୁଣୀଙ୍କୁ ଆକ୍ରମଣ କରିଥିଲା । ଏହି ଘଟଣା ପରେ ହଳଦୀ ଜଙ୍ଗଲ ଚାରିପଟେ ତାର ଜାଲି ଲଗାଇବାକୁ ବନବିଭାଗ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ଲାଗିପାରିନି । ଫଳରେ ଗାଁ ଭିତରେ ପଶି ମଣିଷଙ୍କୁ ଆକ୍ରମଣ କରୁଛନ୍ତି ବାଘ ।

ତେବେ ଏହା ନୂଆ କଥା ନୁହେଁ ନୂଆପଡ଼ା ହଳଦୀ ଗାଁରେ ବାଘ ଆତଙ୍କ ର ଖବର ପ୍ରାୟ ସବୁବେଳେ ଆସୁଛି । ଗତ ଜୁଲାଇ ମାସରେ ଖରିଆରରୋଡ଼ ରେଞ୍ଜ ହଳଦୀ ଗାଁରେ ୨ଜଣଙ୍କୁ ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗାଁର ଧାନବାଇ ପାଣ୍ଡେ ଓ ତାଙ୍କ ନାତୁଣୀ ଚାନ୍ଦିନୀ ପାଣ୍ଡେ ଘରେ ଶୋଇଥିବାବେଳେ ଉଭୟଙ୍କୁ ପଂଝା ମାରିଥିଲା ବାଘ । ବାରମ୍ବାର ଏପରି ଘଟଣା ଯୋଗୁଁ ଆତଙ୍କରେ କାଳାତିପାତ କରୁଛନ୍ତି ଆଖପାଖ ଅଞ୍ଚଳର ଲୋକେ । ତେବେ ଏନେଇ ପ୍ରଶାସନ କେବେ ଉଚିତ ପଦକ୍ଷେପ ନେବ ଓ ଲୋକେ ନିର୍ଭୟରେ ବିଚରଣ କରିବେ ସେକଥା ଦେଖିବା ପାଇଁ ବାକି ରହିଲା ।