କନକ ବ୍ୟୁରୋ : ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ୁଛି। କେଉଁଠି ୨ ଡିଗ୍ରି ବଢ଼ୁଛି ତ ଆଉ କେଉଁଠି ୫ ଡିଗ୍ରି ବୃଦ୍ଧି ପାଉଛି । ପାରାଦୀପ, ଗୋପାଳପୁର, ଛତ୍ରପୁର, ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା ବି ଇତି ମଧ୍ୟରେ ୨୦ ଡିଗ୍ରି ଉପରେ ଚାଲିଯାଇଛି । ସେହିପରି ପୂର୍ବାନୁମାନ ଅନୁଯାୟୀ ଗତକାଲିଠାରୁ ଶୀତ କମିବା ସହ ଓଡ଼ିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି । ପାରାଦୀପ, ପୁରୀ, ଛତ୍ରପୁର, ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି । ମାଲକାନଗିରିର ତାପମାତ୍ରା ପୂର୍ବଭଳି ୩୫ ଡିଗ୍ରି ରହିଥିବା ବେଳେ ପାରଳାଖେମୁଣ୍ଡିରେ ୩୪.୫ ଡିଗ୍ରି ରେକର୍ଡ ହୋଇଛି । ମଙ୍ଗଳବାରଠାରୁ ଦିନର ତାପମାତ୍ରା ଆହୁରି ବଢ଼ିବ ।

Advertisment

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଜାରି ରହିବ । ୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ବର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରହିବ ।