ଶ୍ରୀମନ୍ଦିର ମେଘନାଦ ପାଚେରୀ ମୁକ୍ତ ହେବା ପରେ ଫୋକସରେ ସି ବିଚ୍ : ପୋଲିସ ଉପସ୍ଥିତିରେ ବେଳାଭୂମି ଅଂଚଳରୁ ବେଆଇନ ନିର୍ମାଣକୁ ଉଛେଦ କରୁଛି ପ୍ରଶାସନ

559

କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟ ଅଂଚଳରୁ ଜବରଦଖଲ ମୁକ୍ତ ହେବା ପରେ ପ୍ରଶାସନର ନଜର ଏବେ ପୁରୀ ସି ବିଚ୍ ଉପରେ । ଏହି କ୍ରମରେ ବେଳାଭୂମିରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ହଟାଇବାକୁ ପ୍ରଶାସନ ଚଳାଉଛି ବୁଲଡୋଜର । ୪ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଚାଲିଛି ଉଛେଦ କାମ । ଆଜି ବେଳାଭୂମିରେ ଯାତ୍ରୀକା ଯାତ୍ରୀ ନିବାସକୁ ଭାଙ୍ଗୁଛି ପ୍ରଶାସନ । ଉଛେଦ ଆଗରୁ ଏହି ଯାତ୍ରୀ ନିବାସରୁ ସମସ୍ତ ଯାତ୍ରୀଙ୍କୁ ବାହାର କରି ଦିଆଯାଇଥିଲା ।

ଏହା ପରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମାଜଷ୍ଟ୍ରେଟ, ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଛେଦ କାମ ଚାଲିଛି । ଲାଇଟ୍ ହାଉସ ନିକଟରେ ପ୍ରାୟ ଏକ ଏକର ୫୩ ଡିସିମିଲି ସ୍ଥାନରେ ରହିଛି ଯାତ୍ରୀକା ଯାତ୍ରୀ ନିବାସ । ଏହି ବେଆଇନ୍ ନିର୍ମାଣକୁ ଭାଙ୍ଗିବା ପରେ ଏହି ସ୍ଥାନକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିବ । ଆଗକୁ ସରକାରଙ୍କ ପୁରୀ ପାଇଁ ସ୍ୱତନ୍ତ୍ର ଭାବରେ ୫୦୦ କୋଟିର ଯୋଜନା ହୋଇଥିବା ବେଳେ ଏହି ଉଛେଦ କାମକୁ ଜୋରଦାର କରୁଛି ଜିଲ୍ଲା ପ୍ରଶାସନ ।