ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବ ପରୀ ଅଭିଯାନ ! ମୁଖ୍ୟତଃ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ୍ କରାଯିବାକୁ ଯୋଜନା

119

କନକ ବ୍ୟୁରୋ : ପରୀ ପାଇଁ କଥାଟିଏ ଅଭିଯାନରେ ଲୋକମାନଙ୍କ ବ୍ୟାପକ ଅଂଶ ଗ୍ରହଣ ଓ ଆଗ୍ରହକୁ ଲକ୍ଷ୍ୟ ରଖି ପୁଣି ଥରେ ଦ୍ବିତୀୟ ପର୍ଯ୍ୟାୟ ପରୀ-୨ ଅଭିଯାନ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର । ଦ୍ବିତୀୟ ପର୍ଯ୍ୟାୟରେ ୧୮ ବର୍ଷ ବୟସ୍କ ପିଲାଙ୍କ ନରାପଦ ଓ ସୁରକ୍ଷିତ ସାମାଜିକ ପରିବେଶ ସୃଷ୍ଟି ନିମନ୍ତେ ଦୀର୍ଘସୂତ୍ରୀ ଏକାଭିମୁଖୀ କାର୍ଯ୍ୟକ୍ରମ ଯୋଜନା ପ୍ରସ୍ତୁତ ହୋଇଛି । ଶିଶୁ ଅଧିକାର, ଶିଶୁଶ୍ରମ ନିରୋଧ, ବାଲ୍ୟ ବିବାହ ନିରୋଧ, ଶିଶୁ ଶକ୍ଷା, ସ୍ବାସ୍ଥ୍ୟ ସମନ୍ବିତ ବିକାଶ, ବାଳ ଅପରାଧ ନ୍ୟାୟ ଆଇନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ବିଭାଗ ଓ ସଂସ୍ଥା ଓ ଅନୁଷ୍ଠାନମାନଙ୍କୁ ସାମିଲ୍ କରି ଏହି କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ । ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟତଃ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ୍ କରାଯିବ ।

ଏଥିରେ ୧୮ ବର୍ଷରୁ କମ୍ ଝିଅଙ୍କୁ ବୋହୂ କରି ନ ଆଣିବା, ଶିଶୁ ଶ୍ରମିକ ନିଯୁକ୍ତ ନ କରିବା ଓ ଶିଶୁ ଯୌନ ନିର୍ଯାତନା ପୂର୍ଣ୍ଣ ନିରୋଧ କରିବା ପାଇଁ ଶପଥ ନେଇ କାର୍ଯ୍ୟ କରିବେ । ଏହି ଅଭିଯାନରେ ରାଜ୍ୟର ପ୍ରାୟ ୧.୫ କୋଟି ବାଳକ ବାଳିକା ଉପକୃତ ହେ‌ବେ । ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତରାଜ, ଶ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା, ସଂସ୍କୃ୍ତି, କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗର ଅଧିକାରୀମାନେ ପୁଲିସ ସହିତ ମିଶି ଶିବିର ଆୟୋଜନ କରିବେ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇ ଯାଇଛି ।

ସୂଚନା ଥାଉକି, ଚଳିତ ବର୍ଷ ମେ ମାସରୁ ଜୁନ ମାସ ପର୍ଯ୍ୟନ୍ତ ସାରା ରାଜ୍ୟରେ ପରୀ ପାଇଁ କଥାଟିଏ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ଟି ପରୀ ଏକ୍ସପ୍ରେସ ୧୫ ଦିନ ଧରି ରାଜ୍ୟର ୩୦ ଜିଲ୍ଲାର ବିଭିନ୍ନ ଗ୍ରାମ ଓ ସହରାଞ୍ଚଳ ବୁଲିଥିଲେ । ଶିଶୁ ଯୌନ ନିର୍ଯାତନା ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଅଭିଯାନ ମୂଖ୍ୟ ଲକ୍ଷ୍ୟ ଥିଲା ।

ବୈଠକରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପରୀ-୨ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବାବେ‌ଳେ ଆଇଜି ଅସିତ ପାଣିଗ୍ରାହୀ ଅଭିଯାନ ଭବିଷ୍ୟତ କାର‌୍ୟ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଶାସନ ସଚିବ ବିଭୁ ପ୍ରସାଦ ରାଉତରାୟ, ପଞ୍ଚାୟତ ରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ସଂସ୍କୃ୍ତି ସଚିବ ମନୋରଂଜନ ପାଣିଗ୍ରାହୀ, କ୍ରା‌ଇମ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା, ସୂଚନା ଓ ଲୋକ ସମ୍ପର୍କ ନି‌ର୍ଦେଶକ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।