ସ୍କୁଲରେ ବସ୍ତାନୀ ବୋଝ ଯାଞ୍ଚ : କୁନି କୁନି ପିଲା ବଖାଣିଲେ ଯନ୍ତ୍ରଣାର କାହାଣୀ, ବର୍ଷ ବର୍ଷ ଧରି ଭୋଗୁଛନ୍ତି ପିଠି ଓ କାନ୍ଧ ଯନ୍ତ୍ରଣା

1,383
କନକ ବ୍ୟୁରୋ : ଚଳିତ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲରେ ଚାଲିଛି ସ୍କୁଲ ବ୍ୟାଗ ଯାଂଚ । ପିଲାଙ୍କ ବସ୍ତାନୀ ବୋଝ ନେଇ ଆଜି ରାଜଧାନୀରେ ଶିଶୁ ଅଧିକାର ଆୟୋଗ ସ୍କ୍ୱାର୍ଡ  ପକ୍ଷରୁ  ଯାଂଚ କରାଯାଇଛି ।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଯାଂଚ କରାଯାଇଛି । ସ୍କ୍ୱାର୍ଡରେ ଅଭିଭାବକ,  ସାମାଜିକ କର୍ମୀ ଓ ଅନ୍ୟମାନେ ସାମିଲ ହୋଇଥିଲେ ।  ଦୀର୍ଘଦିନ ଧରି  ପିଲାଙ୍କ ଉପରେ ବସ୍ତାନି ବୋଝ  ହେଉଥିବା  ଦୀର୍ଘଦିନ ଧରି ହୋଇଆସୁଥିଲା ।  ଏହା ପରେ ଶିଶୁ ଅଧିକାର ଆୟୋଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ସ୍କୁଲରେ ବସ୍ତାନୀ ବୋଝ ଯାଂଚ ବେଳେ କନକ ନ୍ୟୁଜ ସାମନାରେ ପିଲା କହିଛନ୍ତି ଯନ୍ତ୍ରଣାର କାହାଣୀ । ଓଜନିଆ ବ୍ୟାଗ ବୋଝରେ କେମିତି ସେମାନେ  ଭାରାକ୍ରାନ୍ତ ହେଉଛନ୍ତି ସେ କଥା ବଖାଣିଛନ୍ତି । କେତେବେଳେ ଅଧିକ  ବହିର ଆବଶ୍ୟକତା ରହୁଛି ତ ଆଉ କେବେ ଶିକ୍ଷକ ଶିକ୍ଷୟିତ୍ରୀ ବାଧ୍ୟ କରୁଛନ୍ତି ଅଧିକ ବହି ଖାତା ଆଣିବା ପାଇଁ । ଓଜନିଆ ବସ୍ତାନୀ ବୋଝରେ ବେକ, କାନ୍ଧ, ପିଠି ଓ ମେରୁଦଣ୍ଡ ଯନ୍ତ୍ରଣା ଭୋଗୁଛନ୍ତି ଛାତ୍ରଛାତ୍ରୀ । ବର୍ଷ ବର୍ଷ ଧରି ସେମାନେ ଏପରି ଯନ୍ତ୍ରଣା ଭୋଗୁଥିବା କଥା କ୍ୟାମେରା ସାମନାରେ କହିଛନ୍ତି ।
ସ୍କୁଲ ବ୍ୟାଗ୍ ଓଜନ ନିୟମ ପାଳନ କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ତେବେ ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିୟମକୁ ପାଳନ କରୁ ନାହାନ୍ତି । ତେଣୁ ନିୟମ ପାଳନ ହେଉଛି କି ନାହିଁ, ତାହାର ଲଗାତାର ଯାଂଚ ହେଉଛି ।