ହକି ପରେ ରାଜ୍ୟ ସରକାରଙ୍କ ଫୋକସରେ ବ୍ୟାଡମିଂଟନ : ଆଜି ପୁଲେଲା ଗୋପିଚାନ୍ଦ ବ୍ୟାଡମିଂଟନ ଫାଉଣ୍ଡେସନ ସହ ବୁଝାମଣା ସ୍ୱାକ୍ଷର କରିବେ ମୁଖ୍ୟମନ୍ତ୍ରୀ

33

କନକ ବ୍ୟୁରୋ : ପୁଲେଲା ଗୋପିଚାନ୍ଦ ବ୍ୟାଡମିଂଟନ ଫାଉଣ୍ଡେସନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଯାଉଛନ୍ତି ଓଡିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏବଂ ଭାରତୀୟ ବ୍ୟାଡମିଂଟନ ଦଳର ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପିଚାନ୍ଦଙ୍କ ଉପସ୍ଥିତିରେ ଏହି ଏମଓୟୁ ହେବ । ଗତବର୍ଷ ଭୁବନେଶ୍ୱରରେ ରିଜିଓନାଲ ବ୍ୟାଡମିଂଟନ ଏକାଡେମିକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଦ୍ଦେଶ୍ୟ ଥିଲା ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆସାମ, ଉତ୍ତର-ପୂର୍ବାଂଚଳ ସମେତ ଅଣ୍ଡାମାନ ଓ ନିକୋବରରୁ ଖେଳାଳିମାନଙ୍କୁ ଏଠାରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଏହି କ୍ରମରେ ଆଉ ପାଦେ ଆଗେଇ ଓଡିଶା ସରକାର ସିଧାସଳଖ ପୁଲେଲା ଗୋପିଚାନ୍ଦ ବ୍ୟାଡମିଂଟନ ଫାଉଣ୍ଡେସନ ସହ ବୁଝାମଣା କରିବାକୁ ଯାଉଛନ୍ତି । ପ୍ରତିଭାବାନ ଖେଳାଳିଙ୍କୁ ଗୋପିଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରେ ପ୍ରଶିକ୍ଷଣ ଦିଆଯିବା ଯୋଜନା ରହିଛି ।