ବିଧାନସଭାରେ ପାରିତ ହେଲା ଓଡିଶା ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍ ୨୦୨୦ : ଏଣିକି ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ହେବ ସର୍ଭେ

165

କନକ ବ୍ୟୁରୋ : ଓଡିଶା ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ସର୍ବ ସମ୍ମତିରେ ପାରିତ ହୋଇଛି । ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ଅଧିନିୟମ ୧୯୯୩ରେ ସଂଶୋଧନ କରି ରାଜ୍ୟ ସରକାର ଏହି ବିଲ୍ ଆଣିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଧେୟକ ୧୯୯୩ର ଧାରା ୯ର ଉପଧାରା ୧ ପରେ ଆଉ ଏକ ଉପଧାରା ସ୍ଥାନୀତ କରାଯାଇଛି । ଏଥିରେ ରାଜ୍ୟ ସରକାର ସମୟକୁ ସମୟ ନିଷ୍ପତିକ୍ରମେ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ କମିଶନ ସର୍ଭେ କରିବେ ବୋଲି ଉଲ୍ଲେଖ ରହିଛି ।

ବିଧାନସଭାରେ ଏହି ବିଲ ପାରିତ ହେବା ପରେ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଐତିହାସିକ ନିଷ୍ପତି ଏବଂ ଏହା ପଛୁଆ ବର୍ଗଙ୍କ ଉନ୍ନତିରେ ସହାୟକ ହେବ ବୋଲି କହିଛନ୍ତି । ତେବେ ଏହି ବିଲ୍ ପରେ ଏଣିକି ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ରାଜ୍ୟ ସର୍ଭେ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିନ୍ତୁ ବିଲ୍ ଆଗତ ହେବା ପରେ କଂଗ୍ରେସ ଓ ବିଜେପି ବିଧାୟକ ବିରୋଧ କରିଥିଲେ । ବିଲ୍କୁ ତରବରିଆ ଭାବେ ପାରିତ ନକରି ଅଧିକ ସମୟ ଦେବାକୁ ସେମାନେ ଦାବି କରିଥିଲେ । ଏହି ବିଲ୍ ରାଜ୍ୟ ସରକାର ପାଇଁ ଏଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆସନ୍ତା ଜନଗଣନାରେ ପଛୁଆ ବର୍ଗର ସ୍ୱତନ୍ତ୍ର ସର୍ଭେ କରିବା ପାଇଁ ରାଜ୍ୟ ସରକାର ଦାବି କରିଥିଲେ । କିନ୍ତୁ ଏହାକୁ କେନ୍ଦ୍ର ଅଗ୍ରାହ୍ୟ କରି ଦେଇଥିଲା ।