କଂଗ୍ରେସ ବିଧାୟକଙ୍କ ହଙ୍ଗମା ଯୋଗୁଁ ଅଚଳ ହେଲା ବିଧାନସଭା : ବିରୋଧୀ ଦଳ ନେତା ଘୋଷଣା ପ୍ରସଙ୍ଗରେ ନାରାବାଜି, ଆସନ୍ତାକାଲି ଯାଏଁ ଗୃହ ମୁଲତବି କଲେ ବାଚସ୍ପତି

238

କନକ ବ୍ୟୁରୋ : ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରୁ ହଙ୍ଗାମା । ଆସନ୍ତାକାଲି ଯାଏଁ ଗୃହ ମୁଲତବି କଲେ ବାଚସ୍ପତି । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ଘୋଷଣା ନକରି କିପରି ବିଧାୟକ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ବୋଲି ବାଚସ୍ପତି ସମ୍ବୋଧିତ କଲେ ତାକୁ ନେଇ କଂଗ୍ରେସ ସଭ୍ୟ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି କଂଗ୍ରେସ ବିଧାୟକ । ତାରା ବାହିନୀପତି, ସୁର ରାଉତରାୟ, ରମେଶ ଜେନା, ମହମ୍ମଦ ମୋକିମ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବିଜେଡି ବିଜେପି ଭାଇଭାଇ ବୋଲି କହି ପାଟିତୁଣ୍ଡ କରିବା ସହ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ଗୃହକୁ କାଲି ଯାଏ ମୁଲତବୀ କରିଛନ୍ତିି ବାଚସ୍ପତି ।

ସେପଟେ ଗୃହ ଆରମ୍ଭରୁ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ନବନିର୍ବାଚିତ ବିଧାୟକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶାନ୍ତିଶୃଙ୍ଖଳା ସହ କାର୍ଯ୍ୟକାଳ ଶେଷ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ଏହାସହ ଫୋନିର ଭୟବହତା ବଖାଣିବା ସହ ସଫଳ ମୁକାବିଲାପାଇଁ ରାଜ୍ୟସରକାରଙ୍କୁ ସାବାସୀ ମଧ୍ୟ ଦେଇଛନ୍ତି । କାଳିଆ ଯୋଜନା ଦ୍ୱାରା କୃଷକ ଓ ଭୂମିହୀନ ଉପକୃତ ହୋଇଥିବା କଥା ମଧ୍ୟ କହିଛନ୍ତି । ସ୍ୱାସ୍ଥ୍ୟ ଯୋଜନାରେ ସୁବିଧା ମିଳୁଛି । ମହିଳାଙ୍କ ସଶକ୍ତିକରଣ ତାଙ୍କ ବିକାଶର ମୂଳମନ୍ତ୍ର । ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ବିନା ସୁଧରେ ଋଣ ମିଳୁଛି । ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହେବ । ଏସଏଚଜିଙ୍କୁ ବିନା ସୁଧରେ ୫ ଲକ୍ଷା ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ବୋଲି କହିଛନ୍ତି ରାଜ୍ୟପାଳ । ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ ଏବଂ ୨୭ ତାରିଖରେ ନିର୍ବାଚନ ହେବ । ୨୮ ତାରିଖରେ ନୂଆ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।