କନକ ବ୍ୟୁରୋ : ଓଡ଼ିଶାରେ ଲାଗୁ ହେବନି ଏନଆରସି । ନାଗରିକତା ସଂଶୋଧନ ବିଲ(ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍ ସଂପ୍ରଦାୟଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏବିକୁ ସମର୍ଥନ କରି ବିଜେଡ଼ି ସ୍ପଷ୍ଟ କରିଥିଲା ନାଗରିକତା ସଂଶୋଧନ(ସିଏବି) ବିଲ ସହ ଏନଆସିର କୌଣସି ସମ୍ପର୍କ ନାହିଁ । ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିବା ବେଳେ ରାଜ୍ୟରେ ମୁସଲମାନଙ୍କୁ ଏନଆରସି ଭୟରୁ ରକ୍ଷାକରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଏନଆରସି ଲାଗୁ ହେବନାହିଁ ବୋଲି ଅଭୟ ବାଣୀ ଶୁଣାଇଛନ୍ତି ନବୀନ ।
ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହୋଇଛି ଆଉ ଏପଟେ ଆଜି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ନେତା । ନୂଆ ଆଇନକୁ ନେଇ ସଂଖ୍ୟାଳଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ବିଲ୍ ପାସ୍ ପରେ ଆମେ ସୁରକ୍ଷିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଲେ ସିଏବି ଓ ଏନଆରସି ଉଭୟ ବିଲକୁ ନେଇ ଏହି ଆଲୋଚନା ହୋଇଥିଲା । ରାଜ୍ୟରେ ମୁସଲମାନ ସମ୍ପଦ୍ରାୟର କୌଣସି ଅସୁବିଧା ହେବନାହିଁ । ସରକାର ସେମାନଙ୍କର ସମସ୍ତଙ୍କର ଦାୟିତ୍ୱ ନେବେ । ତାଙ୍କର ସମସ୍ତ ହାନିଲାଭରେ ସେ ଛିଡ଼ାହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଆରସି ରାଜ୍ୟରେ ଲାଗୁ ନ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ମୁସଲମାନ ସଙ୍ଗଠନ ନେତାମାନେ ।