କନକ ବ୍ୟୁରୋ : କେବଳ ଆସାମ ନୁହେଁ, ଦେଶବ୍ୟାପୀ ଜାତୀୟ ନାଗରିକ ପଂଜିକା (ଏନ୍ଆର୍ସି) ଲାଗୁ ହେବ। ଏନ୍ଆର୍ସିରେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ବାଦ୍ ଦିଆଯିବାର ବ୍ୟବସ୍ଥା ନାହିଁ। ଭାରତର ପ୍ରତ୍ୟେକ ନାଗରିକ ସେମାନଙ୍କ ଧର୍ମ ନିର୍ବିଶେଷରେ ଏନ୍ଆର୍ସି ତାଲିକାରେ ରହିବେ। ତେଣୁ ଏଥିନେଇ କୌଣସି ଚିନ୍ତା ଓ ଅଶଙ୍କାର ପ୍ରଶ୍ନ ଉଠୁନାହିଁ। ଆଜି ରାଜ୍ୟସଭାରେ ଏଭଳି ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ଦେଶର ସମସ୍ତ ନାଗରିକଙ୍କୁ ଏନ୍ଆର୍ସି ଅଧୀନକୁ ଆଣିବାର ଏକ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ତେବେ ତାଙ୍କର ଏହି ଘୋଷଣାକୁ ବିରୋଧ କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ ତାଙ୍କ ରାଜ୍ୟରେ ସେ ଏହା କରାଇ ଦେବେ ନାହିଁ।
ସ୍ବରାଷ୍ଟ୍ର ମନ୍ତ୍ରୀ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି ସ୍ପଷ୍ଟ କରିଛନ୍ତି ଯେ ନାଗରିକ ସଂଶୋଧନ ବିଲ୍ଠାରୁ ଏନ୍ଆର୍ସି ସମ୍ପୂର୍ଣ୍ଣ ଭିନ୍ନ। ଧାର୍ମିକ ଅତ୍ୟାଚାର କାରଣରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ଛାଡ଼ିଥିବା ହିନ୍ଦୁ, ବୁଦ୍ଧ, ଜୈନ, ଖ୍ରିଷ୍ଟୀଆନ୍, ଶିଖ୍ ଶରଣାର୍ଥୀଙ୍କୁ ଭାରତ ସରକାର ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ଭାରତୀୟ ନାଗରିକତା ମିଳିବ। ଏଥିପାଇଁ ନାଗରିକତା ସଂଶୋଧନ ବିଲ୍ରେ ବ୍ୟବସ୍ଥା ପାଇଁ ବିହିତ ପଦକ୍ଷେପ ନିଆଯାଇଛି। ଏହାଦ୍ବାରା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ ଆଧାରରେ ବାଛ ବିଚାରର ଶିକାର ହୋଇଥିବା ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ। ଏନ୍ଆର୍ସି ଏବଂ ନାଗରିକତା ସଂଶୋଧନ ବିଲ୍ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏହାକୁ ନେଇ କୌଣସି ବିବାଦ ଉପୁଜିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଆସାମରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନ୍ଆର୍ସି ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଦେଶବ୍ୟାପୀ ଏନ୍ଆର୍ସି କାର୍ଯ୍ୟକାରୀ ହେଲେ ଆସାମ ମଧ୍ୟ ଏଥିରେ ସମ୍ପୃକ୍ତ ହେବ। ତେବେ ଆସାମରେ ଯେଉଁମାନଙ୍କ ନାମ ଚିଠା ତାଲିକାରେ ନାହିଁ ସେମାନେ ଟ୍ରିବ୍ୟୁନାଲ୍ଙ୍କ ଦ୍ବାରସ୍ଥ ହୋଇପାରିବେ। ଏ ନେଇ ରାଜ୍ୟରେ ଟ୍ରିବ୍ୟୁନାଲ୍ ଗଠନ ହେବ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଟ୍ରିବ୍ୟୁନାଲ୍ ଯିବାପାଇଁ ଅର୍ଥ ନଥାଏ, ତେବେ ଆସାମ ସରକାର ଏହି ଖର୍ଚ୍ଚ ବହନ କରିବେ ବୋଲି ଶାହ କହିଛନ୍ତି।
ରାଜ୍ୟସଭାରେ ଶାହଙ୍କର ଏନ୍ଆର୍ସି ପ୍ରସଙ୍ଗରେ ଟିପ୍ପଣୀ ଆସିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଟିଏମ୍ସି ସରକାର ତାଙ୍କ ରାଜ୍ୟରେ ଏନ୍ଆର୍ସିକୁ ଅନୁମତି ଦେବନାହିଁ। ପଶ୍ଚିମବଙ୍ଗରେ କେହି କାହାର ନାଗରିକତା ନେଇପାରିବେ ନାହିଁ ବୋଲି ମମତା କହିଛନ୍ତି। ଆସାମରେ ଭାରତୀୟ ନାଗରିକ ଚିହ୍ନଟ ପ୍ରକ୍ରିୟା ବେଳେ ୧୪ ଲକ୍ଷ ହିନ୍ଦୁ ଏବଂ ବଙ୍ଗାଳୀଙ୍କୁ କାହିଁକି ବାଦ୍ ଦିଆଗଲା ବୋଲି େସ ପ୍ରଶ୍ନ କରିଛନ୍ତି।