କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ମିଳିଲା ପ୍ରଶାନ୍ତ କିଶୋରଙ୍କ ସମର୍ଥନ। ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି ପାଇଁ ରଣନୀତି ପ୍ରସ୍ତୁତ କରିବେ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋର । ଏ ନେଇ ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟାରେ ପ୍ରଶାନ୍ତ କିଶୋର କେଜ୍ରିୱାଲଙ୍କୁ ଭେଟିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ପୂର୍ବରୁ କେଜ୍ରିୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Advertisment

ଏଠାରେ ସୂଚନା ଥାଉ କି ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ପ୍ରଶାନ୍ତ କିଶୋର ତାମିଲନାଡୁରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଡିଏମ କେ ନେତା ଏମ କେ ଷ୍ଟାଲିନଙ୍କ ନିମନ୍ତେ ସେ କାମ କରିବେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଜାନୁଆରୀ ୨୦୨୦ରୁ ସେ ଏହି କାମରେ ଲାଗିଯିବେ ବୋଲି କୁହାଯାଉଛି। ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ଟ୍ରାକ ରେକର୍ଡ ହିଁ ତାଙ୍କୁ ଲୋକପ୍ରିୟ କରିଛି । ନିର୍ବାଚନ ଋଣାଙ୍ଗନରେ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାରେ ମାହିର ପ୍ରଶାନ୍ତ ଗତ ନିର୍ବାଚନ ଗୁଡିକରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ଷ୍ଟ୍ରାଟେଜି ବଳରେ ଜଗନ ମୋହନଙ୍କୁ ଶାସନ ଗାଦିରେ ବସାଇବା ସହ ଚନ୍ଦ୍ରବାବୁ ନାଇଡୁଙ୍କୁ ଶାସନ କ୍ଷମତାକୁ ବିଦା କରିଥିଲେ । ଏପରିକି ଲୋକସଭାରେ ୨୫ ଆସନ ଓ ବିଧାନସଭାର ୧୭୫ ଆସନରୁ ୧୫୧ ଆସନ ହାସଲ କରି ଜବରଦସ୍ତ ବିଜୟ ହାସଲ କରିଥିଲା ୱାଇଏସଆର କଂଗ୍ରେସ । ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଥିବା ପ୍ରଶାନ୍ତ ଗତବର୍ଷ ସକ୍ରିୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ତାଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଥିଲେ ମଧ୍ୟ ଚଳିତ ଲୋକସଭା ନିର୍ବାଚନରେ ଦଳ ପକ୍ଷରୁ କୌଣସି ଦାୟିତ୍ୱ ଦିଆଯାଇନଥିଲା ।

୨୦୧୪ରେ ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନରେ ମୋଦୀଙ୍କ ପାଇଁ ରଣନୀତି ପ୍ରସ୍ତୁତ କରି ବିଜେପିକୁ ବଡ ବିଜୟ ଭେଟି ଦେଇଥିଲେ । ପୂରା ପ୍ରଚାରର ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ । ଏହାପରେ ୨୦୧୫ରେ ଜେଡିୟୁର ବିଜୟ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରି ନୀତିଶ କୁମାରଙ୍କୁ ଶାସନଗାଦିରେ ବସାଇଥିଲେ । ତେବେ ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ନିର୍ବାଚନ ବୈତରଣୀ ପାର କରିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ ମଧ୍ୟ ଫେଲ୍ ମାରିଥିଲେ । ଉତ୍ତରପ୍ରଦେଶରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ତେବେ ପଞ୍ଜାବରେ ପ୍ରଶାନ୍ତଙ୍କ ପରାମର୍ଶରେ ହିଁ କଂଗ୍ରେସ ଏଠାରେ କ୍ଷମତାକୁ ଫେରିଥିଲା ।