ଅହିଂସାର ପାଠ ପଢ଼ିବେ ଛାତ୍ରଛାତ୍ରୀ : ରାଜ୍ୟର ସମସ୍ତ ସ୍କୁଲରେ ଆୟାଜିତ ହେବ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା

736
କନକ ବ୍ୟୁରୋ : ପିଲାଙ୍କୁ  ଦିଆଯିବ ଅହିଂସା ମନ୍ତ୍ର । ବାଲ୍ୟବସ୍ଥାରୁ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବେ ଛାତ୍ରଛାତ୍ରୀ । ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ । ସବୁ ପିଲା ଭାଗନେବେ ଅହିଂସାକୁ ନେଇ କ୍ୱିଜ ପ୍ରତିଯୋଗିତାରେ ।  ରାଜ୍ୟର  ସବୁ ସ୍କୁଲ, ବ୍ଲକ  ଓ ଜିଲ୍ଲା ସ୍ତରରେ ହେବ  ମହାତ୍ମାଗାନ୍ଧିଙ୍କ ଅହିଂସା ନେଇ  କ୍ୱିଜ, ତର୍କ, ପ୍ରବନ୍ଧ ଓ  ଚିତ୍ରାଙ୍କନ ପ୍ରତିଯୋଗିତା ।   ଚଳିତମାସ  ୧୬ରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରରେ ୨୩ରୁ ୨୪ ତାରିଖ ଯାଏଁ ବ୍ଲକ ସ୍ତରରେ  ଓ ୨୭ ଓ ୨୮ ତାରିଖରେ ଜିଲ୍ଲା ସ୍ତରରେ ଏହି ପ୍ରତିଯୋଗିତା ହେବ ।  ଆଜି  ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ଘୋଷଣା କରିଛି ।
ଅହିଂସା ଶଦ୍ଦ ସହ ଦେଶର ସ୍ୱାଧୀନତା ଓତପ୍ରୋତଃ ଭାବେ ଜଡ଼ିତ । ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ର ଯୋଗୁଁ ଦାସତ୍ୱରୁ ମୁକ୍ତ ହୋଇଥିଲା ଭାରତ । ଛାତ୍ରଛାତ୍ରୀମାନେ ମାନେ ମଧ୍ୟ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ ବୋଲି ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨ରେ ସାରା ଦେଶ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳନ କରାଯିବ । ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ।   ମନ୍ତ୍ରୀଙ୍କ ସୂଚନା ଅନୁସାରେ ରଚନା, ତର୍କ,  ବୁଦ୍ଧି ପରୀକ୍ଷା ପରି ପ୍ରତିଯୋଗିତା  କରାଯିବ । ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ସ୍କୁଲ ସ୍ତରରେ ପ୍ରତିଯୋଗିତା ହେବ ।  କୃତି ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ ଦେଶ ତଥା ରାଜ୍ୟରେ ଧୀରେ ଧୀରେ ହଂସା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ଛାତ୍ରଛାତ୍ରୀ ମାନେ ବି ଏହାକୁ ଅନୁକରଣ କରିବାର ଦେଖାଯାଉଛି । କୁନି କୁନି ପିଲାମାନେ ବିଭିନ୍ନ ଅପରାଧରେ ଜଡ଼ିତ ଥିବାର ଅନେକ ଖବର ବି ଆସୁଛି । ତେବେ ଛାତ୍ରଛାତ୍ରୀ କୋମଳ ମନକୁ ନିର୍ମଳ ରଖିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ନିଶ୍ଚୟ ।