ଶୂନଶାନ ସାତକୋଶିଆ : ମହାବଳ ମହାବୀର ଓ ସୁନ୍ଦରୀ ବିବାଦ ପରେ ଆସୁନାହାନ୍ତି ପର୍ଯ୍ୟଟକ

148

କନକ ବ୍ୟୁରୋ : ସାତକୋଶିଆ ଏବେ ଶୁନ ଶାନ । ପିକନିକ ଋତୁରେ ବି ଏଠାରେ ପର୍ଯ୍ୟଟକଙ୍କର ଦେଖାନାହିଁ । ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ ପରେ ସାତକୋଶିଆରୁ ଏବେ ମୁହଁ ଫେରାଇଲେଣି ପର୍ଯ୍ୟଟକ । କିନ୍ତୁ ହାତବାନ୍ଧି ବସିଛି ବନ ବିଭାଗ ।

ଅନୁଗୁଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀା ସାତକୋଶିଆ ଏବେ ଖାଁ ଖାଁ । ମହାବଳ ବାଘ ମହାବୀର ମୃତ୍ୟ ଓ ସୁନ୍ଦରୀକୁ ନେଇ ବିବାଦ ପରେ ଏବେ ସାତକୋଶିଆକୁ କିଏ ବି ପର୍ଯ୍ୟଟକ ଆସୁନାହାନ୍ତି । ମହାବୀରର ମଣିଷ ଆକ୍ରମଣ କରିବା ପରେ ଉତ୍ୟକ୍ତ ଲୋକେ ପୋଡାଜଳା କରିବା ପରେ ଏବେ ଖାଁ ଖାଁ ପରିବେଶ, ଶୁନଶାନ୍ ରାସ୍ତାଘାଟ । ନା ଅଛି ପର୍ଯ୍ୟଟକଙ୍କ ଗହଳି ନା କିଣାବିକାର ଆସରା । ଟିକେଟ କାଉଂଟରରେ ବି ଆଉ ପୂର୍ବପରି ଭିଡ ନାହିଁ । ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଓଡିଶା ତଥା ସମଗ୍ର ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ବ୍ୟାଘ୍ର ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ମହାବଳ ଆସିଲା । କିନ୍ତୁ ମହାବୀରର ମୃତ୍ୟୁପରେ ଏବେ ସୌନ୍ଦର୍ଯ୍ୟ ହରାଇଛି ସାତକୋଶିଆ ।

ଅନ୍ୟପଟେ ସାତକୋଶିଆରେ ହାତୀବାରୀ ବିଟ୍ ହାଉସ୍ ଏବଂ ଟିକରପଡା ରେଂଜ କାର୍ଯ୍ୟାଳୟରେ ପୋଡାଜଳା ସହ ବିଭିନ୍ନ ଜାଗାରେ ବ୍ୟାପକ ଭଙ୍ଗାରୁଜା ପରେ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି । ବର୍ଷ ତମାମ ସାତକୋଶିଆରେ ଲାଗି ରହୁଥିଲା ପର୍ଯ୍ୟଟକଙ୍କ ଗହଳି ଚହଳି । ଦେଶବିଦେଶରୁ ଲୋକେ ଏଠି ଭିଡ ଜମାଉଥିଲେ । ମାତ୍ର ଏବେ ଆଶାତୀତ ଭାବେ ପର୍ଯ୍ୟଟକଙ୍କ ସଖ୍ୟା କମିବାରେ ଲାଗିଛି । ଫଳରେ ଚଳିତବର୍ଷ ପର୍ଯ୍ୟଟକ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ସ୍ଥାନୀୟ ଦୋକାନୀ ଏକପ୍ରକାର ହାତବାନ୍ଧି ବସିଛନ୍ତି । ଅନ୍ୟପଟେ ସାତକୋଶିଆରେ ହୋଇଥିବା କ୍ଷତିର ଖୁବ୍ ଶୀଘ୍ର ପୁନରୁଦ୍ଧାର ଆରମ୍ଭ କରାଯିବ ବୋଲି ବନବିଭାଗ କତୃପକ୍ଷ କହିଛନ୍ତି ।