ବଣ୍ଡାଘାଟିର ବିକଳ ଚିତ୍ର ! ପହଞ୍ଚିପାରୁନି ଆମ୍ବୁଲାନ୍ସ,ପ୍ରତିଦିନ ଭାରରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ ମହିଳା

97

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ପ୍ରତିଦିନ ଭାରରେ ବୁହା ହୋଉଛନ୍ତି ରୋଗୀ ଓ ଗର୍ଭବତୀ ମହିଳା । ବଣ୍ଡାଘାଟିରେ ଆଦିମ ବଣ୍ଡା ଜନଜାତିର ୩୦ହଜାର ଲୋକ ବସବାସ କରୁଥିଲେ ହେଁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଆଜି ବି ସେମାନଙ୍କ ପାଇଁ ସାତସପନ । ସ୍ୱାସ୍ଥ୍ୟସେବା ପାଇଁ ନଇ, ନାଳ, ପାହାଡ ଅତିିକ୍ରମ କରିବାକୁ ବାଧ୍ୟ ହୋଉଛନ୍ତି ବଣ୍ଡା ଘାଟିର ଲୋକେ ।

ଗତ ୨୩ ତାରିଖର ମଦୁଲିପଡା ପଂଚାୟତ ବଡପଡା ଗାଁର ଷଷ୍ଠଶ୍ରେଣୀ ଛାତ୍ରୀ ଝୁମକି ଶିଶା ହଠାତ ଅସୁ୍ସ୍ଥ ହୋଇପଡି ଥିଲେ । ଅସୁସ୍ଥ ଝୁମକିକୁ ଭାରରେ ୪ କିଲୋମିଟର ବୁହାହୋଇ ମୁଦୁଲିପଡା ସ୍ୱାସ୍ଥକେନ୍ଦ୍ରକୁ ପହଁଚିଥିଲେ । ୧୯ଜାନୁଆରି ଅଣ୍ଡ୍ରାହାଲ ପଂଚାୟତ ଗୋଇଗୁଡା ଗାଁର ସମ୍ବାରୀ ବଡନାୟକଙ୍କ ପେଟରେ ପାଣି ଜମା ହୋଇଥିଲେ । ମେଡ଼ିକାଲ ଯିବାକୁ ସୁବିଧା ନଥିବାରୁ ଭାଗ୍ୟକୁ ଆଦରି ପଡିରହିଥିଲେ ସମ୍ବାରୀ  । କିଛି ସମ୍ବାଦିକ ସମ୍ବାରୀଙ୍କୁ ଟୋକେଇରେ ବୋହିଆଣି ମଦୁଲିପଡା ସ୍ୱାସ୍ଥକେନ୍ଦ୍ରରେ ପହଁଚାଇଥିଲେ ।

ସେହିପରି ଗତ ଡିସେମ୍ବର ୧୯ତାରିଖରେ ଗୋଇଗୁଡା ଗାଁର ଜଣେ ମହିଳା ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କୁ ଭାରରେ ବୋହି ପ୍ରଥମେ ମୁଦୁଲିପଡା ସ୍ୱାସ୍ଥକେନ୍ଦ୍ରରେ ପହଞ୍ଚାଯାଇଥିଲା । ଏବଂ ସେଠାରେ ମଧ୍ୟ ଆମ୍ବୁଲାନ୍ସ ନପାଇ ୧୪ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି ଖଇରପୁଟ ପହଁଚିଥିଲେ ।  କାରଣ ପୁରା ବଣ୍ଡାଘାଟିରେ ରାସ୍ତାଘାଟରେ ଉନ୍ନତି ଆସିଥିଲେ ହେଁ ଏଯାଏଁ ମୋବାଇଲ ସେବା ପହଁଚି ପାରିନାହିଁ । କେବଳ ମଦୁଲୁପଡା ସଦର ମହକୁମା ଠାରେ ବି.ଏସ.ଏନ.ଏଲ ମୋବାଇଲ ସେବା ରହିଥିଲେ ହେଁ ବଣ୍ଡା ଘାଟିର ନାଁ ଶୁଣିଲେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ସେଠାରେ ଯିବାକୁ ନାରାଜ ।

ବଣ୍ଡାଘାଟିର ଦୁଇଟି ପଂଚାୟତରେ ବସବାସ କରୁଥିବା ୩୦୦୦୦ ଲୋକଙ୍କ ପାଇଁ ମାତ୍ର ଗୋଟିଏ ସ୍ୱାସ୍ଥକେନ୍ଦ୍ର । ତେବେ ତାହା କିନ୍ତୁ ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ୱାରା ପରିଚାଳିତ । ମୁଦୁଲିପଡା ଠାରୁ ଖଇରପୁଟକୁ ରୋଗୀ ବୁହାହେବା ପାଇଁ ପୂର୍ବରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦେଇଥିଲା ଜିଲ୍ଲା ପ୍ରଶାସନ । ତେବେ ତାହା କିନ୍ତୁ ଗତ ୬ମାସ ଧରି ଖରାପ ପଡିଛି । ତେବେ ସ୍ଥାନୀୟ ସି.ଡି.ଏମ.ଓ ନିଜ ତ୍ରୁଟି ସୁଧାରିବା ପରିବର୍ତ୍ତେ ଓଲଟା ଖରାପ ରାସ୍ତାକୁ ଏଥିପାଇଁ ଦାୟୀ କରିଛନ୍ତି ।

୩୨ଟି ଗାଁରେ ବସବାସ କରୁଥିବା ଆଦିମ ବଣ୍ଡା ଜନଜାତୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ଜୀବନଧାରାରେ ଉନ୍ନତି ଆଣିବା ଲାଗି ସ୍ୱତନ୍ତ୍ର ବଣ୍ଡା ଉନ୍ନୟନ ସଂସ୍ଥା ପରି ବିଭିନ୍ନ ଏଜେନ୍ସି କାମ କରୁଛି । ତଥାପି ଶିକ୍ଷା, ସ୍ୱାସ୍ଥ, ପାନୀୟଜଳ ଆଜିବି ଏମାନଙ୍କ ସାତ ସପନ ।