କୋରାପୁଟ ରାମଗଡ ପାହାଡି ମଣିଷର ଦୁଃଖ : ୪ କିଲୋମିଟର ପାହାଡ ଓହ୍ଲାଇ ତଳକୁ ଆସିଲେ ମିଳୁଛି ମୌଳିକ ସୁବିଧା, ସ୍ୱାସ୍ଥ୍ୟସେବା ପାଇଁ ଶିଶୁକୁ ଧରି ଚାଲୁଛନ୍ତି ମାଆ

332

କନକ ବ୍ୟୁରୋ : ପାହାଡ଼ି ମଣିଷର ଦୁଃଖ । ୪ କିଲୋମିଟର ପାହାଡ଼ ଓହ୍ଳାଇଲେ ମିଳିବ ମୌଳିକ ସୁବିଧା । ରୋଗୀଙ୍କୁ ମିଳିବ ସ୍ୱାସ୍ଥ୍ୟସେବା । ଯିବା ଆସିବାରେ ବିତି ଯାଉଛି ଗୋଟିଏ ଦିନ । ପ୍ରଶାସନର ନଜର ଆଢୁଆଳରେ ରହିଯାଇଛି କୋରାପୁଟର ରାମଗଡ ଗାଁ । ପାହାଡ଼ ଉପରେ ରହୁଥିବା ଆଦିବାସୀ ମଣିଷ ପାହାଡ-ଜଙ୍ଗଲ ଭିତରେ ୪ କିଲୋମିଟର ରାସ୍ତା ଚାଲି ରେଳ ଧାରଣା ପାରିହୋଇ ଚିକିତ୍ସା ପାଇଁ ସହରକୁ ଆସୁଛନ୍ତି । କୁନି କୁନି ଶିଶୁଙ୍କୁ କୋଳରେ ଧରି ମାଆଙ୍କୁ ଚାଲିବାକୁ ପଡୁଛି ପାହାଡି ରାସ୍ତା । କେବଳ ଏମାନେ ନୁହଁନ୍ତି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଭାରରେ ବୋହି ଡାକ୍ତରଖାନା ଆଣିଥାନ୍ତି ସଂପର୍କୀୟ । ଏ ଦୁଃଖ ଆଜି କାଲିର ନୁହେଁ, ଏ ଦୁଃଖ ବହୁ ପୁରୁଣା ।

୫୦ ପରିବାର ରହୁଥିବା କୋରାପୁଟ ଜିଲ୍ଳାର ରଣ୍ଡାପାଲି ପଚାଂୟତର ରାମଗଡ ଗାଁ । ଏହି ଗାଁ ଜୟପୁର ରାଜାଙ୍କ ଅମଳରୁ ପାହାଡ଼ ଉପରେ ରହିଛି । ଜୟପୁର ସହର ନିକଟ ହୋଇ ମଧ୍ୟ ସହର ଠାରୁ ବହୁ ଦୁରରେ ଏହି ଗାଁର ମଣିଷ । ଗଣତନ୍ତ୍ରର ଶାସନର ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏହି ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଚିଂତ । ନିଜର ପରମ୍ପରାକୁ ନେଇ ବଂଚୁଥିବା ଗ୍ରାମବାସୀ ଅନେକ ଥର ଗାଁର ସମସ୍ୟା ବାବଦରେ ପ୍ରଶାସନକୁ ଅବଗତ କରାଇଛନ୍ତି । ହେଲେ କେହି ଏମାନଙ୍କ ଦୁଃଖ ବୁଝନ୍ତି ନାହିଁ ।
ନିର୍ବାଚନ ସମୟରେ ରାମଗଡରେ ନେତାଙ୍କ ପାଦ ପଡେ । ସମସ୍ୟା ସମାଧାନ ପାଇଁ କୁଢକୁଢ ପ୍ରତିଶ୍ରୁତି ମିଳେ, ହେଲେ ଭୋଟ ସରିଲେ ରାମଗଡ କଥା ଭୁଲିଯାଆନ୍ତି ସମସ୍ତେ । ପାହାଡ଼ ହେଉ କି ଦୁର୍ଗମ ଅଚଂଳ ସରକାରୀ ଯୋଜନା ସମସ୍ତଙ୍କ ପାଇଁ । ଯୋଜନା ଥାଇ ମଧ୍ୟ ସୁଫଳ ପାଇ ପାରୁନାହାନ୍ତି ପାହାଡି ମୁଲକର ଆଦିବାସୀ ମଣିଷ ।