ନବରଙ୍ଗପୁରରେ ଖଟିଆ ଆମ୍ବୁଲାନ୍ସ : ଟାୟାର ଜାଳି ଅନ୍ଧାର ରାତିରେ ୨କିଲୋମିଟର ପ୍ରସୂତୀକୁ ବୋହିନେଲେ ସଂପର୍କୀୟ, କାଦୁଅ ରାସ୍ତା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

196

କନକ ବ୍ୟୁରୋ : ପୁଣି ପଦାରେ ପଡିଛି ବିକାଶର ନଗ୍ନ ଛବି । ଗାଁକୁ ରାସ୍ତା ନଥିବାରୁ ୨ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ରାତି ହୋଇଥିବାରୁ ଟାୟାର ଜାଳି ଖଟିଆରେ ଗର୍ଭବତୀଙ୍କୁ ବୋହି ଆମ୍ବୁଲାନ୍ସ ଅଟକି ଥିବା ମୁଖ୍ୟ ରାସ୍ତାଯାଏଁ ଆଣିଲେ ପରିବାର ଲୋକେ । ଏପରି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କୁରଷି ତୋହରା ଗାଁରେ । ରବିବାର ରାତିରେ କୁରଷି ତୋହରା ଗାଁ ମେଥିସାହୁର ଗୁପ୍ତା ସନ୍ତାଙ୍କ ସ୍ତ୍ରୀ ବୁଦୋନ୍ତି ସନ୍ତାଙ୍କ ପ୍ରସବ ବେଦନା ହୋଇଥିଲା ।

ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଗାଡିକୁ ଡାକିଥିଲେ । ହେଲେ ଗାଁକୁ ଯାଇଥିବା ରାସ୍ତା କାଦୁଅ ହୋଇଥିବାରୁ ଅଧାରେ ଅଟକିଯାଇଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ପରିବାର ଲୋକେ ଏକ ଖଟିଆରେ ମହିଳାଙ୍କୁ ବୋହି ଟାୟାର ଜାଳି ତାହାରି ଆଳୁଅରେ ଆମ୍ବିଲାନ୍ସ ଅଟକିଥିବା ରାସ୍ତା ଯାଏଁ ଆସିଥିଲେ । ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏବେ ମା ଓ ନବଜାତକ ସୁସ୍ଥ ଥିବା ଜଣାପଡିଛି ।