ନୂଆବର୍ଷରୁ ରାଜ୍ୟ ସରକାରଙ୍କ ନୂଆ ନିୟମ : ଏଣିକି ଅନଲାଇନରେ ଛୁଟି ଦରଖାସ୍ତ ଦେବେ ସରକାରୀ ଚାକିରିଆ

3,484

କନକ ବ୍ୟୁରୋ : ନୂଆବର୍ଷରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ନିୟମିତ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସରକାରୀ ଚାକିରିଆମାନେ ଏଣିକି ଛୁଟିରେ ରହିଲେ ଅନଲାଇନ୍‌ରେ ଛୁଟି ଦରଖାସ୍ତ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ନିୟମ କରିଛି । କର୍ମଚାରୀମାନେ ଏଚ୍‌ଆରଏମ୍‌ଏସ୍‌ରେ ସେମାନଙ୍କର ଛୁଟି ଦରଖାସ୍ତ ଦେବେ । ଏପରିକି ଛୁଟି ମଞ୍ଜୁର କରୁଥିବା ଅଧିକାରୀ ଅନଲାଇନ୍‌ରେ ଅର୍ଥାତ୍‌ ଏହି ଏଚ୍‌ଆରଏମ୍‌ଏସ୍‌ରେ ହିଁ ଛୁଟି ମଞ୍ଜୁର କରିବେ । କେଉଁ କର୍ମଚାରୀ କେତେ ଦିନ ଛୁଟିରେ ରହିଲେ ତା’ର ସବିଶେଷ ତଥ୍ୟ ଏଚ୍‌ଆରଏମ୍‌ଏସ୍‌ରେ ରହିବ।

ଜାନୁଆରି ୧ ପରେ ଆଉ କର୍ମଚାରୀଙ୍କ ଠାରୁ ଅଫଲାଇନ୍ ମୋଡରେ ଛୁଟି ଦରଖାସ୍ତ ଗ୍ରହଣ କରାଯିବନି। ଅନଲାଇନ୍‌ରେ କର୍ମଚାରୀମାନେ ଛୁଟି ଦରଖାସ୍ତ ଦେଲେ ଏବଂ ଏହା ମଞ୍ଜୁର ହେଲେ ତା‌’ର ସବିଶେଷ ତଥ୍ୟ ଇ-ସର୍ଭିସ୍‌ ବୁକ୍ ଏବଂ ପେ-ରୋଲ୍‌ରେ ପ୍ରଦର୍ଶିତ ହେବ। ରାଜ୍ୟ ସରକାର ୩୧ ମାର୍ଚ୍ଚ, ୨୦୨୦ ଠାରୁ ଯେଉଁ କର୍ମଚାରୀ ଯେଉଁଦିନ ଅବସର ନେବେ ସେହିଦିନ ସେମାନଙ୍କୁ ଚୂଡ଼ାନ୍ତ ପେନସନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଅନଲାଇନ୍ ପେନସନ୍ ମଡ୍ୟୁଲ୍ ପ୍ରସ୍ତୁତ ହୋଇଛି ।

ତେଣୁ ଯେଉଁ ବିଭାଗ ଅଧୀନରେ କର୍ମଚାରୀମାନେ ଆସୁଥିବେ ସେହି ବିଭାଗର ଏଷ୍ଟାବ୍ଲିସମେଣ୍ଟ କର୍ମଚାରୀଙ୍କ ଇ-ସର୍ଭିସ୍‌ ବୁକ୍ ଏବଂ ମାନୁଆଲ୍‌ ସର୍ଭିସ୍ ବୁକ୍ ସେହି ଅନୁଯାୟୀ ଡିସେମ୍ବର ୩୧, ୨୦୧୯ ସୁଦ୍ଧା ପ୍ରସ୍ତୁତ କରିବାକୁ କୁହାଯାଇଛି।