ଦେଶରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଚର୍ଚ୍ଚିତ ଚେହେରା : ଆଗରେ ସନ୍ନି ଦେଓଲ, ଗୌତମ ଗମ୍ଭୀର ,ସ୍ମୃତି ଇରାନି, ଚନ୍ଦ୍ରାଣୀ ମୁର୍ମୁ ଓ ତେଜସ୍ୱୀ ସୂର୍ଯ୍ୟା

616

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପରେ ୧୭ ତମ ଲୋକସଭାର ଚିତ୍ର ସ୍ପଷ୍ଟ ହୋଇସାରିଛି । ନରେନ୍ଦ୍ର ମୋଦିଙ୍କୁ ସ୍ପଷ୍ଟ ବହୁମତ ମିଳିଛି । ନୂଆ ଲୋକସଭାରେ ଏମିତି କିଛି ନୂଆ ଚେହେରା ପଂହଚିଛନ୍ତି ଯେଉଁମାନଙ୍କ ପରିଚୟ ସାଧାରଣ ଲୋକଙ୍କଠାରୁ କିଛି ଅଲଗା ରହିଛି । କିଛି ଅପ୍ରତ୍ୟାଶିତ ଭାବେ ଲୋକସଭାରେ ପଂହଚିଥିବାବେଳେ ଆଉ କିଛି ଜଣ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କଲା ପରେ ପାର୍ଲାମେଂଟକୁ ନିର୍ବାଚିତ ହୋଇଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ନବନିର୍ବାଚିତ ସାଂସଦଙ୍କ ଉପରେ ଯାହାଙ୍କ ନଜର ଆସନ୍ତା ୫ ବର୍ଷ ଯାଏଁ ସାରା ଦେଶର ରହିବ ।

–ପ୍ରଥମେ ଚର୍ଚ୍ଚାରେ ରହିବେ ଫିଲ୍ମଷ୍ଟାର ସନ୍ନିଦେଓଲ । ସନ୍ନି ପ୍ରଥମ ଥର ଲାଗି ରାଜନୀତିରେ ଏଂଟ୍ରି କରିବା ପରେ ପଞ୍ଜାବର ଗୁରୁଦାସପୁରରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସନ୍ନିଙ୍କ ପ୍ରଚାର ବେଳେ ହ୍ୟାଣ୍ଡ ପମ୍ପ ବେଶ ଚର୍ଚ୍ଚାରେ ରହିଥିଲା । ସୋସିଆଲ ମିଡିଆରେ ବି ସେ ବେଶ ଭାଇରାଲ ହୋଇଥିଲେ । ତେବେ ବର୍ତମାନ ଜଣେ ସାଂସଦ ଭାବେ ସନ୍ନି ଦେଓଲଙ୍କ ଅସଲି ପରୀକ୍ଷା ଏବେ ରିଲ ଲାଇଫ ବଦଳରେ ରିଏଲ ଲାଇଫରେ ହେବ । ଗୁରୁଦାସପୁରର ଲୋକଙ୍କ ସମସ୍ୟା ବୁଝିବା ସହ ବିଜେପି ସଦସ୍ୟ ଭାବେ ନିଜର ଭୂମିକା ନିର୍ବାହ କରିବାକୁ ପଡିବ ।

–ସେହିଭଳି ଆଉ ଜଣେ ସାଂସଦ ହେଲେ ଦେଶର ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୨୮ ବର୍ଷିୟ ସୂର୍ଯ୍ୟା ପେଶାରେ ଜଣେ ଓକିଲ । କଂଗ୍ରେସର ବରିଷ୍ଠ ନେତା ହରିପ୍ରସାଦଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ହରାଇ ସେ ପାର୍ଲାମେଂଟ ଆସିଛନ୍ତି । ତେଣୁ ଆଗାମୀ ୫ ବର୍ଷରେ ସେ କି କାମ କରୁଛନ୍ତି ତା ଉପରେ ବି ସମସ୍ତଙ୍କ ନଜର ରହିଛି ।

—ସେହିଭଳି ଆଉ ଜଣେ ନବନିର୍ବାଚିତ ସାଂସଦ ହେଲେ ଗୌତମ ଗାମ୍ଭୀର । ନିର୍ବାଚନବେଳେ ଗାମ୍ଭୀର ବେଶ ଚର୍ଚ୍ଚାରେ ଥିଲେ । ପୂର୍ବ ଦିଲ୍ଲୀରୁ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଚାର ବେଳେ ସେ ବେଶ ବିବାଦରେ ରହିଥିଲେ । ଅରବିନ୍ଦ କେଜରିୱାଲଙ୍କ ତାଙ୍କୁ ଯେତେବେଳେ ଘେରିଥିଲେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ବି ଦେଇଥିଲେ । କଂଗ୍ରେସର ବରିଷ୍ଠ ନେତା ଅରବିନ୍ଦର ସିଂ ଲଭଲିଙ୍କୁ ହରାଇ ଗୌତମ ଲୋକସଭାକୁ ଆସିଛନ୍ତି । କ୍ରିକେଟରେ ଭଲ ପାରି ଖେଳିଥିବା ଗୌତମ ଗମ୍ଭୀର ଏବେ ସାଂସଦ ଭାବେ କି କମାଲ କରୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି ।

–ସାଧାରଣ ନିର୍ବାଚନରେ ସବୁଠାରୁ ବଡ ବିଜୟ ହୋଇଛି ସ୍ମୃତି ଇରାନୀଙ୍କର । ଆମେଥିରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ହରାଇ ସେ ଲୋକସଭାକୁ ଆସିଛନ୍ତି । ସେ ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ଏବେ ଆମେଥିରୁ ଲୋକସଭାକୁ ନିର୍ବାଚିତ ହେବେ ପରେ ସ୍ଥାନୀୟ ସମସ୍ୟା ଦୂର କରିବା ତାଙ୍କ ପାଇଁ ଇଙ୍ଗ ଚ୍ୟାଲେଞ୍ଜ ହେବ । ଏହାଛଡା ବିଜେପିକୁ ଆଗକୁ ବଢାଇବା ବି ତାଙ୍କ ଉପରେ ବଡ ଦାୟିତ୍ୱ ରହିବ ।

–କେନ୍ଦୁଝରର ନବନିର୍ବାଚିତ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ବି ଚର୍ଚ୍ଚାରେ ରହିଛିନ୍ତି । ୨୬ ବର୍ଷୀୟ ଚନ୍ଦ୍ରାଣୀଙ୍କୁ ଟିକେଟ ମିଳିବା କାହାଣୀ ବେଶ ରୋଚକ ଥିଲା । ୨୦୧୭ରେ ବିଟେକ୍ କରିବା ପରେ ସେ ଚାକିରୀ ଖୋଜୁଥିଲେ । କିନ୍ତୁ ପରେ ସେ ବିଜେଡି ଟିକେଟ ପାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବର୍ତମାନର ଲୋକସଭାରେ ଚନ୍ଦ୍ରାଣୀ ହେଉଛନ୍ତି ଦେଶର ସର୍ବକନିଷ୍ଠ ମହିଳା ସାଂସଦ । ତେଣୁ ସାଂସଦ ଭାବେ ତାଙ୍କର କାର୍ଯ୍ୟ କଳାପ ଉପରେ ବି ଦେଶର ନଜର ରହିବ ଯେ ଜଣେ ଯୁବ ସାଂସଦ ଭାବେ ସେ ଲୋକଙ୍କ ପାଇଁ କଣ କରିପାରୁଛନ୍ତି ।

-ସେହିଭଳି ଆଉ ଜଣେ ମହିଳା ସାଂସଦ ହେଲେ ରୌମ୍ୟା ହରିଦାସ । କେରଳକୁ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଜଣେ ଶ୍ରମିକର ଝିଅ ରୌମ୍ୟା ହରିଦାସଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଟିକେଟ ଦେଇଥିଲେ । ସେେ କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ୟାଲେଂଟ ହଂଟର ଟପ୍ପର ଥିଲେ । ରୌମ୍ୟା କୋଜିକୋଡ ମୁନିସିପାଲଟିର ପ୍ରମୁଖ ଥିଲେ । ସେ ପ୍ରଚାର ବେଳେ ଗୀତ ଗାଇ ପ୍ରଚାର କରିଥିଲେ , ଯାହାକୁ ବିରୋଧୀ ଖୁବ ସମାଲୋଚନା କରିଥିଲେ । କିନ୍ତୁ ରୌମ୍ୟା ବର୍ତମାନ ଦେଶର ସବୁଠାରୁ ନୀତି ନିର୍ଧାରକ ସଦନ ଲୋକସଭାର ସଦସ୍ୟ ତାଙ୍କ କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିବ ।