ଭାରତ ବିରୋଧରେ ଚୀନର ନୂଆ ଚାଲ୍ : ନେପାଳକୁ ଅସ୍ତ୍ର କରୁଛି ପଡ଼ୋଶୀ ଦେଶ

25

କନକ ବ୍ୟୁରୋ : ଭାରତ ବିରୋଧରେ ଚୀନ ପୁଣି ଚାଲ୍ ଖେଳୁଛି । ନେପାଳକୁ ଆକର୍ଷିତ କରିବା ପାଇଁ କାମ ଆରମ୍ଭ କରିଦେଇଛି । ଚୀନ୍‌ ତା’ର ବନ୍ଦରଗୁଡ଼ିକ ମଧ୍ୟରୁ ୪ଟି ବନ୍ଦର ବ୍ୟବହାର କରିବାକୁ ନେପାଳକୁ ଅନୁମତି ଦେବ ବୋଲି ଶୁକ୍ରବାର ଦିନ ନେପାଳୀ ସରକାର କହିଛନ୍ତି । ବେଜିଙ୍ଗ୍‌ ସହ ଯୋଗସୂତ୍ର ବଢ଼ି ଚାଲିଥିବା ଯୋଗସୂତ୍ର ଫଳରେ ସ୍ଥଳଭାଗବେଷ୍ଟିତ ହିମାଳୀୟ ଦେଶ ତା’ର ବାଣିଜ୍ୟ ପଥ ଉପରେ ଭାରତର ଏକଚ୍ଛତ୍ରବାଦର ଅବସାନ ଘଟାଇଛି ।

ଚୀନ୍‌ ଓ ଭାରତ ମଧ୍ୟରେ ଚାପି ହୋଇ ରହିଥିବା ନେପାଳ ଇନ୍ଧନ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ନିମନ୍ତେ ଭାରତ ଉପରେ ଖୁବ୍‌ ନିର୍ଭରଶୀଳ । ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟ କରିବାକୁ ନେପାଳ ଭାରତର ବନ୍ଦର ବ୍ୟବହାର କରେ । ୨୦୧୫ ଏବଂ ୨୦୧୬ରେ ଭାରତ ସହ ଥିବା ଏହାର ସୀମାନ୍ତ ଦୀର୍ଘ ସମୟ ଧରି ଅବରୋଧ ହେବା ଫଳରେ ଅନେକ ମାସ ଧରି ନେପାଳରେ ଇନ୍ଧନ ଓ ଔଷଧ ସଙ୍କଟ ଦେଖା ଦେଇଥିଲା । ତେଣୁ ଭାରତ ଉପରେ ନିର୍ଭରଶୀଳ ନ ହେବାକୁ ନେପାଳ ଚୀନ୍‌ ବନ୍ଦରକୁ ଯାତାୟାତ କରିବାକୁ ଅନୁମତି ଲୋଡୁଥିଲା ।

ଶୁକ୍ରବାର ଦିନ କାଠମାଣ୍ଡୁ ଠାରେ ନେପାଳ ଓ ଚୀନ୍‌ର ଅଧିକାରୀମାନେ ‘ଟ୍ରାନ୍‌ଜିଟ୍‌ ଆଣ୍ଡ୍‌ ଟ୍ରାନ୍‌ସ୍‌ପୋର୍ଟ ଏଗ୍ରିମେଣ୍ଟ୍‌’ (ଟିଟିଏ) ପ୍ରୋଟୋକଲ୍‌ ଚୂଡ଼ାନ୍ତ କରିଥିଲେ । ଏବେ ନେପାଳ ଚୀନ୍‌ର ତିଆନ୍‌ଜିନ୍‌, ସେନ୍‌ଞ୍ଝେନ୍‌, ଲିଆନ୍‌ୟୁନ୍‌ଗାଙ୍ଗ୍‌ ଏବଂ ଝାଞ୍ଜିଆଙ୍ଗ୍‌ ବନ୍ଦରକୁ ପ୍ରବେଶ କରିପାରିବ ବୋଲି ନେପାଳ ବାଣିଜ୍ୟ ମନ୍ତ୍ରାଳୟ କହିଛି । ଲାନ୍‌ଝୌ, ଲାସା ଏବଂ ଜିଗାତ୍‌ସେ ଆଦି ସ୍ଥଳ ବନ୍ଦର ଏବଂ ସେଠାକୁ ଯାତାୟାତ କରିବାକୁ ରାସ୍ତା ବ୍ୟବହାର କରିବାକୁ ନେପାଳକୁ ଚୀନ୍‌ ଅନୁମତି ଦେଇଛି ।