ମନମୁଗ୍ଧକର ପରିବେଶ ସାଙ୍ଗକୁ ଜଙ୍ଗଲୀ ଫୁଲର ବାସ୍ନା : ଶୀତ ଦିନରେ ପର୍ଯ୍ୟଟକଙ୍କ ମନ ମୋହୁଛି ଶିମିଳି ଝରଣା

594

କନକ ବ୍ୟୁରୋ : ମନଲୋଭା ପରିବେଶ ସାଙ୍ଗକୁ ସବୁଜ ବନାନୀ । ଆଉ ତାରି ଭିତରେ ଝରଣାର କୁଳୁ କୁଳୁ ନାଦ । କୋଳାହଳ ଠାରୁ ବହୁ ଦୂର । ବାସ୍ତବରେ ଯେତିକି ରୋମାଞ୍ଚକର ସେତିକି ମନ ମୁଗ୍ଧକର । କିଛି ବର୍ଷ ତଳେ ନିଜ ଭିତରେ ନିଜର ଅସ୍ତିତ୍ୱ ହଜାଉଥିବା ଶିମିଳି ଝରଣା ଏବେ ପାଲଟିଛି ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ । ପର୍ଯ୍ୟଟନ ଋତୁରେ ଆସନ୍ତୁ ବୁଲିଯିବା ନୟାଗଡର ଶିମିଳି ଝରଣା ।

ନୟାଗଡ଼ ଜିଲ୍ଲାର ଶିମିଳି ଝରଣା ଜଳପ୍ରପାତ । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କ ଶରଣକୂଳରୁ ପୁରୀକୁ ସଂଯୋଗ କରୁଥିବା ଜଗନ୍ନାଥ ସଡକରେ ପ୍ରାୟ ୪ କିଲୋମିଟର ଗଲାପରେ ପଡେ ଶିଖରପୁର ଛକ । ସେହିଠାରୁ ଦକ୍ଷିଣକୁ ୭ କିଲୋମିଟର ପରେ ବଡକୁଟୁଣି ଗାଁ । ବଡକୁଟୁଣି ଗାଁ ମନ୍ଦିର ନିକଟରୁ ଡାହାଣକୁ ଶିମିଳି ଝରଣା ରାସ୍ତା । ଦୁଇ ପାଖରେ ଜଂଗଲିଆ ଗଛ । ଦୂରରୁ ଦୃଶ୍ୟମାନ ଶୀତୁଆ ସକାଳର କୁହୁଡି ଘେରା ପର୍ବତମାଳା । ବ୍ୟାକୁଳିତ ମନ ନେଇ ଆଗକୁ ୫ କିଲୋମିଟର ବଢିବା ପରେ ଆଦିବାସି ଅଧ୍ୟୁଷିତ ଶିମିଳି ଗାଁ । ଆଉ ଗାଁ ମୁଣ୍ଡରେ ଶିମିଳି ଝରଣା ।

ବର୍ଷା ଦିନରେ ଜଳଧାରା ପ୍ରଖର ରହିଥିବା ବେଳେ ଶୀତ ଦିନ ଆଡକୁ କମି କମି ଖରାଦିନରେ ପୁରା ଶୁଖିଯାଇଥାଏ । ତେଣୁ ସବୁଦିନିଆ ଜଳ ପ୍ରବାହ ପାଇଁ ଉପର ମୁଣ୍ଡରେ ଏକ ଆନିକଟ ତିଆରି ପାଇଁ ପ୍ରସ୍ତାବ ରଖିଛନ୍ତି ସ୍ଥାନୀୟ ଅଧିବାସୀ । ଏହାସହ ପାହାଡ ଚଢି ଉପରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ଉପର ମୁଣ୍ଡ ଯାଏ ପାହାଚ, ପର୍ଯ୍ୟଟକଙ୍କ ରହଣୀ ପାଇଁ ବିଶ୍ରାମାଗାର ଦୋକାନ ବଜାର ଇତ୍ୟାଦି କରାଯିବାର ଆବଶ୍ୟକତା ରହିଥିବା କୁହାଯାଇଛି । ସେପଟେ ଶିମିଳି ଝରଣାର ଉନ୍ନତିକରଣ ପାଇଁ ଶିମିଳି ଗ୍ରାମବାସୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।

ଘଞ୍ଚ ବନାନୀରେ ପରିବେଷ୍ଟିତ ଜଳପ୍ରପାତ ଶିମିଳି ଝରଣା ଗତ ୨ ବର୍ଷ ହେଲା ଲୋକଲୋଚନକୁ ଆସିଥିବା ବେଳେ ସମୟକ୍ରମେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ତେଣୁ ଧୀରେ ଧୀରେ ଏହାର ଉନ୍ନତିକରଣ କରାଯାଉଥିବା ଅନୁମାନ ହେଉଛି । ତେଣୁ ଗୋଟିଏ ଦିନ ପାଇଁ ଏକ ହଲିଡେ ପ୍ୟାକରେ ଭୂବନେଶ୍ୱରରୁ ବାହାରି ପର୍ଯ୍ୟଟକ ରଣପୁରର ମଣିନାଗ ଓ ଅସୁରକୁମାରୀ ଦର୍ଶନ କରିସାରି ଶିମିଳି ଝରଣାରେ ଭୋଜି କରିପାରିବେ । ପରେ ଲଡୁବାବା ଦର୍ଶନ କରି ଭୂବନେଶ୍ୱର ଫେରିପାରିବେ କିମ୍ବା ନୟାଗଡ ସହରରେ ରାତ୍ରୀଯାପନ କରିପାରିବେ ।